ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ ଯୋଗଦେଇ ଶିବିରର ଶୁଭାରମ୍ଭ କରିଥିଲେ।
ଅନ୍ୟତମ ଅତିଥି ଭାବେ ଖବରଦାତା ଗୋପାଳକୃଷ୍ଣ ମଲ୍ଲିକ, ଥାନା ଏସ.ଆଇ ମନୋରଞ୍ଜନ ବେହେରା, ଆଇନଜୀବୀ ମନୋଜ କୁମାର ପଣ୍ଡା ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଗ୍ରୀଷ୍ମରେ ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଗତ ଦୁଇ ବର୍ଷ ହେଲା ସଂଘ ପକ୍ଷରୁ ଏଭଳି ମହତ ରକ୍ତଦାନ ଶିବିର ଆୟୋଜନ କରାଯାଉଥିବା ଜଣାପଡିଛି। ସଂଘର ସଭାପତି ଟୁକୁନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ସଂଘର ମୁଖ୍ୟ ଉପଦେଷ୍ଟା ତଥା ବୈଦ୍ୟୁତିକ ଗଣମାଧ୍ୟମର ଖବରଦାତା ଦିଗାମ୍ବର ମହାରଣା ସଂଯୋଜନା କରିଥିଲେ। ସଂଘ ଉପସଭାପତି ଅରବିନ୍ଦ ବିଷୋୟୀ, ସମ୍ପାଦକ ହରିବନ୍ଧୁ ବାଡତ୍ୟା, କୋଷାଧ୍ୟକ୍ଷ କେ. ତ୍ରିପତି ଦୋରାଙ୍କ ସମେତ ସଭ୍ୟ ଅଜିତ ବାଡତ୍ୟା,ଭାସ୍କର ସ୍ବାଇଁ, ମିଟୁ ଦୋରା,ଗଜେନ୍ଦ୍ର ସାହୁ , ଅଳୟ ଭୂୟାଁ ବାଦଲ ପଣ୍ଡା, ଜୟ ସାହୁ, ସୁଶାନ୍ତ ସ୍ବାଇଁ, ପପୁ ସାହୁ, ଟୁନା ରଣାଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ବଣିକ ସଂଘର ଏଭଳି ମହତ୍‌ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

 

Dharitri – Odisha’s No.1 Odia Daily

 

Share