ବ୍ଲକ ଅଧ୍ୟକ୍ଷାଙ୍କୁ ଆସୁଛି ଧମକ: ଭାଜପାରେ ଯୋଗ ଦେବାକୁ ମନମୋହନଙ୍କୁ ଚିଠ ଲେଖିବାରୁ ଜୀବନରୁ ମାରିଦେବାକୁ…

ଭଣ୍ଡାରୀପୋଖରୀ/ଭଦ୍ରକ,୨୪।୧୧(ରାଜେନ୍ଦ ଶତପଥୀ/ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷାଙ୍କୁ ବିଜେଡି ନଛାଡିବା ପାଇଁ ମିଳୁଛି ଧମକ । ଦଳ ପରିତ୍ୟାଗ କଲେ ଜୀବନରୁ ମାରିଦିଆଯିବ ବୋଲି କିଛି ଆସାମାଜିକ ବ୍ୟକ୍ତି ଧମକ ଦେଇଥିବା ଭଣ୍ଡାରିପୋଖରୀ ଥାନାରେ ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ ରବିବାର ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ପରିବାରକୁ ବିପଦ ଥିବା ଦର୍ଶାଇ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ଅଭିଯୋଗ ମୁତାବକ ଗତ ୪ ଦିନ ତଳେ ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା, ବନ୍ତ ବ୍ଲକ ଅଧ୍ୟକ୍ଷ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ଓ ଭଦ୍ରକ ବ୍ଲକ ଅଧ୍ୟକ୍ଷା ବିଜେଡି ଛାଡି ଭାଜପାରେ ଯୋଗ ଦେବାକୁ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ଜିଲା ସଭାପତି ଭଗବାନ ପଣ୍ଡା, ଏମପି ଅଭିମନ୍ୟୁ ସେଠୀ ଓ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କୁ ଦରଖାସ୍ତ ପ୍ରଦାନ କରିଛନ୍ତି । ଏହା ଜଣା ପଡିବା ପରେ କିଛି ଅସାମାଜିକ ବ୍ୟକ୍ତି ସୁମତୀଙ୍କ ଘର ନିକଟରେ ପହଞ୍ଚି ଅସଭ୍ୟ ଭାଷାରେ ଜାତି ଗୋତ୍ର ନେଇ ଗାଳି ଗୁଲଜ କରିଛନ୍ତି। ତାଙ୍କ ଘର ଉପରକୁ ପଥର ମାଡ଼ କରିବା ସହ ବିଜେଡି ଛାଡିଲେ ଜୀବନରୁ ମାରି ଦେବେ ବୋଲି ଧମକ ଦେଇଛନ୍ତି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି ।

Dharitri – Odisha’s No.1 Odia Daily