ଥୁଆମୂଳ ରାମପୁର, ୨୧।୩ (ଦୁର୍ଗା କୀର୍ତ୍ତୀ):ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ବିପଦସଙ୍କୁଳ ହୋଇପଡ଼ିଛି। କାର୍ଯ୍ୟାଳୟ ସମ୍ମୁଖ ଡ୍ରେନ୍ ଉପରେ ପଡ଼ିଥିବା ଲୁହା ପାଇପ୍ଗୁଡ଼ିକ ଭାଙ୍ଗିରୁଜି ଯାଇଥିଲେ ହେଁ ପ୍ରଶାସନ ଏଥିପ୍ରତି ଆଖି ବୁଜି ଦେଇଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ, ଗୋରୁ ଓ ଅନ୍ୟାନ୍ୟ ପ୍ରାଣୀଙ୍କ ଅବାଧ ପ୍ରବେଶ ରୋକିବା ପାଇଁ ବ୍ଲକ କାର୍ଯ୍ୟାଳୟର ପ୍ରବେଶ ଦ୍ୱାରରେ ଏହି ଲୁହା ଜାଲି ନିର୍ମାଣ କରାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଏହି ପାଇପ୍ଗୁଡ଼ିକ ମଝିରୁ ବାହାରି ଅନେକ ସ୍ଥାନରେ ଫାଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଏହି ବାଟ ଦେଇ ଶତାଧିକ ଜନସାଧାରଣ, କର୍ମଚାରୀ ଓ ଯାନବାହନ ଚଳାଚଳ କରୁଥିବା ବେଳେ ସାମାନ୍ୟ ଅସାବଧାନତା ହେଲେ ବଡ଼ ଧରଣର ଦୁର୍ଘଟଣା ଘଟିବା ଆଶଙ୍କା ରହିଛି। ବିଶେଷକରି ରାତି ସମୟରେ ବାଇକ୍ ଚାଳକମାନେ ଏହି ଫାଙ୍କରେ ଚକା ଫସିଯିବା ଭୟରେ ଆତଙ୍କିତ ଅବସ୍ଥାରେ ଯାତାୟାତ କରୁଛନ୍ତି। ଏ ନେଇ ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରିନାହିଁ। ତେବେ ସହକାରୀ ଯନ୍ତ୍ରୀ ସାଲକୁ ହେମ୍ରମଙ୍କୁ ପଚାରିବାରୁ ସେ କହିଛନ୍ତି, ଆମେ ଏହି ସମସ୍ୟା ବିଷୟରେ ପୂର୍ବରୁ ଅବଗତ ଅଛୁ। ସେହି ରାସ୍ତାରେ ଆମେ ମଧ୍ୟ ପ୍ରତିଦିନ ଯାତାୟାତ କରୁଛୁ, ତେଣୁ ଏହାର ସମାଧାନ ଆମ ପାଇଁ ମଧ୍ୟ ଜରୁରୀ। ଏହାର ମାପଚୁପ ଶେଷ ହୋଇଛି। ପୁରୁଣା ପାଇପ୍ଗୁଡ଼ିକୁ ବଦଳାଇ ଉତ୍ତମ ମାନର ନୂତନ ଲୁହା ପାଇପ୍ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୩ରୁ ୪ ଦିନ ମଧ୍ୟରେ କାମ ସମ୍ପୂର୍ଣ୍ଣ ହୋଇଯିବ ଏବଂ ଆଉ କୌଣସି ବିପଦ ରହିବ ନାହିଁ ବୋଲି ସେ କହିଥିଲେ। ଯଥାଶୀଘ୍ର ଏହି ପ୍ରତିଶ୍ରୁତି ପୂରଣ ନ ହେଲେ ଆଗାମୀ ଦିନରେ କୌଣସି ଅଘଟଣ ପାଇଁ ପ୍ରଶାସନ ଦାୟୀ ରହିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।