ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଆୟୋଜିତ ବ୍ଳକସ୍ତରୀୟ ୫ ଦିବସୀୟ ଶିଶୁ ବାଟିକା ପ୍ରାଥମିକ ଶିକ୍ଷୟିତ୍ରୀ ଶିକ୍ଷକ ପ୍ରଶିକ୍ଷଣ ଶିବିର ପ୍ରସ୍ତୁତି ଗୁରୁବାର ଉଦ୍ଯାପିତ ହୋଇଯାଇଛି। ବ୍ଲକ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ଳକ ଅଧିନସ୍ଥ ଚାଞ୍ଚଡାପଲ୍ଲୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଏବଂ ମଣିପଡିଆ ସ୍ଥିତ ଗୋପାଳ ଦାସ ନୋଡାଲ ବିଦ୍ୟାପୀଠରେ ୩ ଟି ପର୍ଯ୍ୟାୟରେ ଏହି ଶିବିର ଅନୁଷ୍ଠିତ ହୋଇଛି। ପ୍ରାଥମିକ ଶିକ୍ଷାକୁ ଜାତୀୟ ଶିକ୍ଷାନୀତି ଆଧାରରେ ପରିଚାଳନା ପାଇଁ ଶିଶୁ ବାଟିକାର ଗୁରୁତ୍ୱ, ପ୍ରସ୍ତୁତି ,ଶ୍ରେଣୀ ଶୃଙ୍ଖଳା ନିମନ୍ତେ ବିଭିନ୍ନ ଦିଗର ବିକାଶ ତଥା ଶିଶୁ ବାଟିକା ଶ୍ରେଣୀର ମାନ ନିର୍ଦ୍ଧାରଣ କୌଶଳକୁ ଅବଗତ କରାଇବା ଶିବିରର ମୂଳଲକ୍ଷ୍ୟ ବୋଲି ଆଲୋକପାତ କରାଯାଇଥିଲା । ବ୍ଲକ ଗୋଷ୍ଠୀ ସାଧନ ସଂଯୋଜକ ବାଳା ମାଝୀ , ଏବିଇଓ ବିଶ୍ରବା ପାଇକ, ରସାନନ୍ଦ ଘଡେଇ ମିଳିତ ଭାବେ ଶିବିରକୁ ସଂଯୋଜନା କରିଥିଲେ । ସିଆରସିସି ସୁବ୍ରତ କୁମାର ପଣ୍ଡା ଓ ନବୀନ ବାଡତ୍ୟାଙ୍କ ସମେତ ୮ ଜଣ ସାଧନକର୍ମୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସମସ୍ତ ତାଲିମପ୍ରାପ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।