ପୁୁରୁଷୋତ୍ତମପୁର,୧୫ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରାଣି ଚିକିତ୍ସା ଅଧିକାରୀ ଡା.ମନୋଜ ଶତପଥୀଙ୍କ ପୌରହିତ୍ୟରେ ହୋଇଥିବା ଏହି କାର୍ଯ୍ୟକମରେ ମୁଖ୍ୟଅତିଥି ଭାବେ ମତ୍ସ୍ୟ ଓ ପ୍ରଣିସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଚାଷୀଙ୍କ ବିକାଶ ହେଲେ ଦେଶର ବିକାଶ ହୋଇପାରିବ। ସମାଜରେ ରହିଥିବା ପଛୁଆବର୍ଗର ଲୋକଙ୍କୁ ଆଗେଇନେଇ ସେମାନଙ୍କୁ ବିକଶିତ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ଦାଦନ ସମସ୍ୟାକୁ ରୋକିବା, ଗ୍ରାମାଞ୍ଚଳରେ କୃଷି ଓ କୃଷକଙ୍କ ବିକାଶ କରିବା ସହ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରି ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମତ୍ସ୍ୟଚାଷ, ଘାସଚାଷ ସହ ଗାଈ,ଛେଳି,କୁକୁଡା,ବତକ ପାଳନ ପାଇଁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଏଥିପାଇଁ ବିଭିନ୍ନ ଯୋଜନା ରହିଛି। ସହାୟତା, ଋଣ, ସବସିଡି ଓ ଇନ୍ସୁରାନ୍ସ ସହ ପ୍ରାଣୀସମ୍ପଦର ସୁରକ୍ଷା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥିଭାବରେ ଆସିକା ଏମ୍ପି ଅନିତା ଶୁଭଦର୍ଶନୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକ,ଏନଏସି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ବିଡିଓ ଶରତ ପାତ୍ର, ଜିଲା ମତ୍ସ୍ୟ ଅଧିକାରୀ ଭାରତ ଭୂଷଣ ଜେ.ସାହୁ, ଜିଲା ପ୍ରାଣୀଧନ ଅଧିକାରୀ ଡା.ରଞ୍ଜନ ଦାସ, ପୁରୁଷୋତ୍ତମପୁର ବ୍ଲକ ସହକାରୀ ପ୍ରାଣି ଚିକିତ୍ସା ଅଧିକାରୀ ଡା.ସାନ୍ତାସ୍ବରୂପା ମିଶ୍ର, ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା ଯୋଗଦେଇ ମତ୍ସ୍ୟଚାଷ ଓ ପ୍ରାଣି ସୁରକ୍ଷା ନେଇ ଚାଷୀଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। ଏହି ଅବସରରେ ଚାଷୀଙ୍କୁ କାର୍ଯ୍ୟାଦେଶ ଓ ସହାୟତା ପ୍ରଦାନ ସହ ସଫଳ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା। ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଦେବବ୍ରତ ନାୟକ ଧନ୍ୟବାଦ ଦେଇଥିଲେ।