ପାଟଣା,୧୯।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ଯମୁନାପଶି ପଞ୍ଚାୟତ ସ୍ଥିତ ଯମୁନାପଶି ବିଶେଇପାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୁଧବାର ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ବ୍ଲକ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ମୋଟ ୧୨୫ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।
ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବରେ ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ ଯୋଗଦେଇଥିଲେ। ସେ ବିଭିନ୍ନ ବର୍ଗରୁ ଜିଲା ସ୍ତର ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ୭ ଜଣ କୃତୀ ପ୍ରତିଭାଙ୍କୁ ଟ୍ରଫି ଓ ସାର୍ଟିଫିକେଟ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ରାୟ, ଭାଷ୍ୟକାର ପାର୍ଥ ସାରଥୀ ବେଜ, ବରିଷ୍ଠ ଖବରଦାତା ସନ୍ତୋଷ କୁମାର ପତି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରତି ଆଗ୍ରହ ବଢାଇବାକୁ ଉତ୍ସାହିତ କରିଥିଲେ।
ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ହେମନ୍ତ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅମଲା ସଚ୍ଚିଦାନନ୍ଦ ମହାକୁଡ଼ ସଂଯୋଜନା କରିଥିଲେ ଏବଂ ଶିକ୍ଷକ ବିଜନ କୁମାର ପରିଡା, ନରେନ କୁମାର ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।