ବ୍ଲକ ଅଧ୍ୟକ୍ଷ-ଉପାଧ୍ୟକ୍ଷଙ୍କ ବିବାଦ ତୁଟୁନି, ଉପଜିଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ

କୋରାପୁଟ,୪ା୪(ଅମିତାଭ ବେହେରା): କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷାଙ୍କ ମଧ୍ୟରେ ବିବାଦ ଘନୀଭୂତ ହେବାରେ ଲାଗିଛି। ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଜି.ତ୍ରିନାଥଙ୍କ ବିରୋଧରେ ଉପାଧ୍ୟକ୍ଷା ରିନୁ ଦାସଙ୍କ ନେତୃତ୍ୱରେ ୫ ଜଣ ସମିତି ମେମ୍ବର ଏବଂ ୯ ଜଣ ସରପଞ୍ଚଙ୍କ ଦସ୍ତଖତ ଥାଇ ଏକ ଅଭିଯୋଗପତ୍ର କୋରାପୁଟ ଉପଜିଲାପାଳ ପ୍ରେମଲାଲ ହିଆଲଙ୍କୁ ପ୍ରଦାନ କରାଯାଇଥିଲା।

ବ୍ଲକ ଅଧ୍ୟକ୍ଷଙ୍କ ସମୟରେ କୌଣସି ବିକାଶ କାର୍ଯ୍ୟ ହୋଇ ନ ଥିବା ସେମାନେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ। ୩ ବର୍ଷରେ ମାତ୍ର ୩ଟି ବୈଠକ କରାଯାଇଥିବା, କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ସମୟରେ ଅବଗତ ନ କରିବା, ଆମ୍ଭମାନଙ୍କର ଅଜାଣତରେ କାର୍ଯ୍ୟ କରାଯାଉଥିବା, ଆମ୍ଭମାନଙ୍କର କାର୍ଯ୍ୟ ଖସଡ଼ାକୁ ଗ୍ରହଣ ନ କରିବା, ତାଙ୍କ ମନମୁତାବକ ଠିକାଦାରଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ଆଦି ଭିଯୋଗ କରାଯାଇଛି। ଏହି ଅଭିଯୋଗଗୁଡ଼ିକ ୧୫ ଦିନ ମଧ୍ୟରେ ସମାଧାନ ନ ହେଲେ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ବାଧ୍ୟ ହେବୁ ବୋଲି ସେମାନେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଆଜି ଅଧ୍ୟକ୍ଷଙ୍କ ସମର୍ଥନରେ ସରପଞ୍ଚ, ସମିତି ମେମ୍ବର ଏବଂ ଜିଲା ପରିଷଦ ମେମ୍ବର ଆସି ଉପଜିଲାପାଳଙ୍କୁ ଅବଗତ କରାଇବା ସହ ଦସ୍ତଖତ ଥାଇ ଚିଠି ପ୍ରଦାନ କରିଛନ୍ତି। ଆମ୍ଭେମାନେ ଇଂରାଜୀ ଭାଷା ଜାଣି ନାହୁଁ ଏବଂ କାମ ପାଇଁ ଦସ୍ତଖତ କର ବୋଲି କହିବାରୁ ଆମ୍ଭେମାନେ ଦସ୍ତଖତ କଲୁ ବୋଲି ନାରାୟଣପାଟଣା ସରପଞ୍ଚ ରେବତୀ କୁନ୍ଦରିଆ କହିଛନ୍ତି। ଆମ୍ଭେମାନେ ବିରୋଧୀ ଦଳ ସହିତ ଯିବୁ ନାହିଁ ଯେଉଁଠି ନ୍ୟାୟ ସେଠିକୁ ଯିବୁ ବୋଲି ସେ କହିଛନ୍ତି। ଉପାଧ୍ୟକ୍ଷାଙ୍କ ସହିତ ରହିଥିବା ୫ ଜଣ ସମିତି ମେମ୍ବର ଦେଖାଯାଉ ନ ଥିବା ଅଧ୍ୟକ୍ଷ ଜି ତ୍ରିନାଥ କହିଛନ୍ତି। ମୋ’ ସହିତ ୯ ଜଣ ସରପଞ୍ଚ, ୪ ଜଣ ସମିତି ମେମ୍ବର ଏବଂ ଜଣେ ଜିଲାପରିଷଦ ମେମ୍ବର ରହିଛନ୍ତି ବୋଲି ସେ କହିଛନ୍ତି। ନାରାୟଣପାଟଣା ଉପାଧ୍ୟକ୍ଷା ଏବଂ ଅନ୍ୟମାନଙ୍କ ଦସ୍ତଖତ ଥାଇ ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ ପତ୍ର ପାଇଛି ବୋଲି କୋରାପୁଟ ଉପଜିଲାପାଳ ପ୍ରେମଲାଲ ହିଆଲ କହିଛନ୍ତି। ଏହି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।