ରାଇକିଆ,୨୬।୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ତହସିଲ ଅଫିସ ନିକଟରେ ଥିବା ଚିଲ୍ଡରେନ୍ସ ପାର୍କର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ବର୍ଷ ତମାମ ଏହି ପାର୍କରେ ତାଲା ଝୁଲୁଛି । ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଯେଉଁ ପାର୍କ ନିର୍ମାଣ କରାଯାଇଥିଲା ନିୟମିତ ଖୋଲା ଯାଉ ନ ଥିବା ଯୋଗୁ ଏହା ଦିନକୁ ଦିନ ନଷ୍ଟ ହେବାକୁ ବସିଲାଣି । ୨୦୨୩ରେ ଏହି ପାର୍କକୁ ଉଦ୍ଘାଟନ କରାଯାଇଥିଲା। ଏହାର ପରିଚାଳନା ଏକ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଟେକି ଦେଇ ବ୍ଲକ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛନ୍ତି । ଏହାର ରକ୍ଷଣା ବେକ୍ଷଣ, ନିରୀକ୍ଷଣ କରା ନଯିବା ଫଳରେ ଦାମୀ ସରଞ୍ଜାମ ସବୁ ଖତ ଖାଉଛି । ପାର୍କ ଚାରିପାଖ ଲଟାବୁଦାରେ ପରିପୂର୍ଣ୍ଣ ହୋଇ ରହିଛି । କିଛି ଦିନ ପାର୍କକୁ ନିୟମିତ ଖୋଲାଯିବା ପରେ ଏହା ଧୀରେ ଧୀରେ ବନ୍ଦ ହେବାକୁ ଲାଗିଲା । ନିୟମିତ ଖୋଲା ନ ଯିବା ଏବଂ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁ ଏହା ଏବେ ନଷ୍ଟ ହେବାକୁ ବସିଲାଣି । ତାଲା ପଡ଼ି ରହୁଥିବା ଯୋଗୁ ଏହା ଅସାମାଜିକ ଯୁବକଙ୍କ ଆଡ୍ଡା ପାଲଟିଛି । ଦୁର୍ବୃତ୍ତ ପାଚେରୀ ଗ୍ରିଲ୍କୁ ଭାଙ୍ଗି ରୁଜି ଦେଲେଣି । ପାଚେରୀ ଡେଇଁ ବିଭିନ୍ନ ପ୍ରକାର ନିଶା ସେବନ କରୁଛନ୍ତି ଯୁବ ଗୋଷ୍ଠୀ । ରାତିରେ ଆଲୋକ ବ୍ୟବସ୍ଥା ନ ଥିବା ବେଳେ ପିଲାଙ୍କ ଖେଳ ସାମଗ୍ରୀ ମଧ୍ୟ ଭାଙ୍ଗିରୁଜି ଗଲାଣି ।
ଅନ୍ୟପକ୍ଷରେ ତତ୍କାଳୀନ ବିଡ଼ିଓ ପ୍ରବୀଣ କୁମାର ବାଣୁଆଙ୍କ ଉଦ୍ୟମ କ୍ରମେ ପାର୍କ ଶିଶୁଙ୍କ ପାଇଁ ବିଭିନ୍ନ କ୍ରୀଡା ସରଞ୍ଜାମ ଏବଂ ଓପନ ଜିମ ସରଞ୍ଜାମ ମଧ୍ୟ ଲଗା ଯାଇଥିଲା । କିଛି ଦିନ ପ୍ରାତଃ ଭ୍ରମଣ କରୁଥିବା ଲୋକେ ବ୍ୟାୟାମର ସୁବିଧା ପାଉଥିଲେ । ତାହା ମଧ୍ୟ ନଷ୍ଟ ହୋଇ ଗଲାଣି । ଏନେଇ ରାଇକିଆ ବିଡିିଓ ସବ୍ୟସାଚୀ ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଇ ନାହିଁ । ରାଇକିଆ ସହର ମଧ୍ୟରେ ରେ ଥିବା ଏହି ପାର୍କକୁ ଅଣଦେଖା କରାଯାଉଥିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ।
Dharitri – Odisha’s No.1 Odia Daily