ଘୋଡ଼ାହାଡ଼ ନଦୀକୁ ଗାଧୋଇବାକୁ ଯାଇ ଫେରିଲେନି, ଗଣ୍ଡରେ ବୁଡ଼ିଯାଇ ଚାଲିଗଲା…

ଦିଗପହଣ୍ଡି,୨୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ଗ୍ରାମର ଜଣେ ଦୃଷ୍ଟିହୀନ ବୃଦ୍ଧ ଘୋଡ଼ାହାଡ଼ ନଦୀରେ ଗାଧୋଉଥିବା ବେଳେ ବୁଡିଯାଇ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ଉଜ୍ଜଳ ବରାଡ଼(୬୦)। ଉଜ୍ଜଳ ଗୁରୁବାର ସକାଳେ ନଦୀକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା କାରଣରୁ ସେ ନଦୀର ଗଭୀର ଗଣ୍ଡ ମଧ୍ୟରେ ବୁଡ଼ି ଯାଇଥିଲେ। ଆଖପାଖରେ ଥିବା କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରି ବିଫଳ ହେବାପରେ ସାନଖେମୁଣ୍ଡି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ବୃନ୍ଦ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଅଚେତ ଅବସ୍ଥାରେ ନିକଟସ୍ଥ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାଟପୁର ଥାନା ପୋଲିସ ଅପମୃତ୍ୟୁ ମାମଲା ନଂ.୨୬/୨୫ ଅନୁଯାୟୀ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶୋକାକୂୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି।

Dharitri – Odisha’s No.1 Odia Daily

Share
Tags: odisha