ଭବାନୀପାଟଣା,୭ା୬(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଏମିତି କିଛି ଅଞ୍ଚଳ ଅଛି ଯେଉଁଠି ଆଜି ବି ଲୋକେ ଗୁଣିଗାରେଡି ଉପରେ ବିଶ୍ବାସ କରୁଛନ୍ତି। ଏପରିକି ଏହି ଅନ୍ଧ ବିଶ୍ବାସ ନିରୀହ ଲୋକଙ୍କ ଜୀବନ ମଧ୍ୟ ନେଇଯାଉଛି। ଅନ୍ଧବିଶ୍ୱାସ ରୋକିବାକୁ ବିଭିନ୍ନ ସମୟରେ ସଚେତନତା କରାଯାଉଥିବା ସତ୍ତ୍ବେ ସଚେତନ ଆଗରେ ଭାରି ପଡୁଛି ଅନ୍ଧ ବିଶ୍ୱାସ। ଗୁଣି ଗାରେଡି ସନ୍ଦେହରେ ଗତ ମେ ମାସରେ ଜିଲାରେ ୨ ନିରୀହ ଲୋକଙ୍କ ଜୀବନ ଯାଇଛି। ମେ ୧୭ରେ ଜୁନାଗଡ଼ ଥାନା ଛୋରିଆଗଡ଼ ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇଙ୍କ ଜୀବନ ଯାଇଥିଲା। ସାନ ଭାଇ ସୁବଳ ବାଗ (୪୫)ଙ୍କୁ ବଡ଼ ଭାଇ ଗୋପୀ ବାଗ(୪୯) ହତ୍ୟା ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏବେ ସେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି। ସେହିପରି ଏହାର ଦିନକ ପରେ ଅର୍ଥାତ୍ ମେ ୧୮ରେ କଲମପୁର ଥାନା ଦେପୁର ଗାଁରେ ରୂପସିଂ ମାଝୀ(୬୫)ଙ୍କୁ ଗୁଣିଗାରେଡି ସନ୍ଦେହରେ ଉକ୍ତ ଗାଁର ଲିଙ୍ଗରାଜ ମାଝୀ(୨୨) ମୁଣ୍ଡ ଓ ଗଣ୍ଡିକୁ ଅଲଗା କରି ପୋଖରୀର ଫୋପାଡି ଦେଇଥିଲେ। ଘଟଣାର ୧୦ଦିନ ପରେ ପୋଲିସ ଅଭିଯୁକ୍ତ ଲିଙ୍ଗରାଜଙ୍କୁ ଗୋଆରୁ ଗିରଫ କରିଥିଲା। ପଚରାଉଚୁରା ପରେ ସେ ରୂପସିଂଙ୍କ ହତ୍ୟାକାରୀ ବୋଲି ପୋଲିସ ଆଗରେ ସ୍ବୀକାର କରିଥିଲେ। ହତ୍ୟାକାରୀ ଯୁବକଙ୍କ ମା’ବାପା ଦୁଇବର୍ଷ ହେଲା ସ୍ବାସ୍ଥ୍ୟଜନିତ ସମସ୍ୟା ଯୋଗୁ ଶଯ୍ୟାଶାୟୀ ଅଛନ୍ତି। ରୂପସିଂ ଗୁଣିଗାରେଡି କରି ତାଙ୍କ ମା’ବାପାଙ୍କୁ ଏମିତି କରିଛି ଭାବି ତାଙ୍କୁ ଜୀବନରୁ ମାରିଦେବାକୁ ନିଷ୍ପତ୍ତି ନେଇଥିଲେ। ପ୍ରସ୍ତୁତି ଅନୁଯାୟୀ ଗାଁର ପଞ୍ଚାୟତ ଗୃହଠାରେ ବୃଦ୍ଧଙ୍କୁ ହତ୍ୟା କରିଥିଲେ। ପରେ ମୁଣ୍ଡ ଓ ଗଣ୍ଡିକୁ ଅଲଗା କରି ମୃତଦେହକୁ କାନ୍ଧରେ ବୋହି ଗାଁ ପୋଖରୀରେ ପୋତିଦେଇ ଫେରାର ହୋଇଯାଇଥିଲେ। ସେହିପରି ଅକ୍ଟୋବର ୨୦୨୩ରେ ଗୁଣିଗାରେଡ଼ି ସନ୍ଦେହରେ ଜୁନାଗଡ଼ ଥାନା ଶଙ୍କରପଲା ଗ୍ରାମରେ ଟ୍ରିପଲ ମର୍ଡର ହୋଇଥିଲା। ଏଥିରେ ଜଣେ ବୃଦ୍ଧ, ମହିଳା ଓ ୨ ବର୍ଷର ଶିଶୁଙ୍କୁ ସମ୍ପର୍କୀୟ ପୁତୁରା ମହେନ୍ଦ୍ର ମାଝୀ ହତ୍ୟା କରିଥିଲେ। ସେତେବେଳେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଧୁନିକ ଯୁଗରେ ମଧ୍ୟ ଗୁଣିଗାରେଡି ଭଳି ଅନ୍ଧ ବିଶ୍ୱାସରୁ ନିରୀହ ଲୋକଙ୍କ ଜୀବନ ଯିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଜିଲା ପ୍ରଶାସନ ଏ ଦିଗରେ ସଚେତନତା ସୃଷ୍ଟି କରିବା ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।