ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି।

ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା ଥାନା ଅନ୍ତର୍ଗତ ଡିମିଣି ହବଳେଶ୍ୱର ଗ୍ରାମର ରଶ୍ମି ରଞ୍ଜନ ମହାନ୍ତି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଆଇଆଇସି ସରୋଜକାନ୍ତ ସାମଲ କହିଛନ୍ତି, ରଶ୍ମି ସମ୍ପୃକ୍ତ ନାବାଳିକାଙ୍କ ସାମାଜିକ ଗଣାମଧ୍ୟମ ଆଇଡି ସଂଗ୍ରହ କରି ସେଥିରେ ଅଶ୍ଳୀଳ ଫଟୋ ଛାଡ଼ିଥିଲେ ଏଥିସହ ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଓ ବିବାହ ପାଇଁ ଚାପ ପକାଇଥିଲେ।

ସମ୍ପୃକ୍ତ ନାବାଳିକା ମନାକରିବା ସତ୍ତ୍ବେ ମଧ୍ୟ ରଶ୍ମି ଅଟକି ନ ଥିଲେ ବରଂ ଏକାଧିକ ଫେକ୍‌ ଆକାଉଣ୍ଟ ଖୋଲି ସାମାଜିକ ଗଣମାଧ୍ୟମରେ ଖରାପ ଫଟୋ ଛାଡି ବଦନାମ କରିବାକୁ ଚେଷ୍ଟା କରି ଧମକ ଦେଇଥିଲେ। ଶେଷରେ ସମ୍ପୃକ୍ତା ନାବାଳିକା ଅସହାୟ ହୋଇ ଥାନାରେ ଅଭିଯୋଗ କଲାପରେ ପୋଲିସ ମାମଲା (ନଂ. ୮୭୧/୨୫) ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେଇଛି।