ଚାଲିଛି କୃଷ୍ଣସାର ମୃଗ ଗଣନା: ଗଣନା କାର୍ଯ୍ୟକୁ ତଦାରଖ କରୁଛନ୍ତି ଡିଏଫ୍‌ଓ

ଭଞ୍ଜନଗର,୨୯।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ବ୍ରହ୍ମପୁର ବନଖଣ୍ଡ, ଭଞ୍ଜନଗରସ୍ଥିତ ଘୁମୁସର ଦକ୍ଷିଣ ବନଖଣ୍ଡ ଓ ଘୁମୁସର ଉତ୍ତର ବନଖଣ୍ଡର ବିଭିନ୍ନ ରେଞ୍ଜରେ ଗୁରୁବାର କୃଷ୍ଣସାର ମୃଗ ଗଣନା ଚାଲିଛି । ଆଜି ସକାଳ ୬ ଟାରୁ ୯ ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଗଣନା ସରିଛି। ଏହାପରେ ଅପରାହ୍ନ ୪ଟାରୁ ୬ ଟା ମଧ୍ୟରେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ଗଣନା ହେବ। ଏହାପରେ ସମସ୍ତ ରିପୋର୍ଟକୁ ଭିତ୍ତିକରି ଚୁଡାନ୍ତ ରିପୋର୍ଟ ପ୍ରକାଶିତ ହେବ। ଏନେଇ ୩ଟି ଯାକ ବନଖଣ୍ଡ ପକ୍ଷରୁ ପ୍ରାୟ ୧୦୦ ଟିମ ଗଠନ ହୋଇଛି। ଡିଏଫଓମାନେ ଗଣନା କାର୍ଯ୍ୟକୁ ତଦାରଖ କରୁଛନ୍ତି । ଗଣନାରେ ବନ କର୍ମଚାରୀ, କଲେଜ ଛାତ୍ରୀଛାତ୍ର ସମେତ ପରିବେଶବିତ୍‌ ପ୍ରମୁଖ ସାମିଲ ହୋଇଛନ୍ତି। ଗଣନା ପକ୍ଷରୁ ଗତକାଲି ସମସ୍ତଙ୍କୁ ତାଲିମ ଦିଆଯାଇଥିଲା।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଘୁମୁସର ଦକ୍ଷିଣ ବନଖଣ୍ଡରେ କୃଷ୍ଣସାର ମୃଗ ପ୍ରାୟ ଅଧିକାଂଶ ଦେଖାଦିଅନ୍ତି। ଏହାପରେ ସେଠାରୁ ଜିଲାର ଅନ୍ୟ ବନ୍ୟଖଣ୍ଡକୁ ସମ୍ପ୍ରସାରଣ ହୋଇଥିଲା। ଏହା ଏକ ବିରଳ ପ୍ରାଣୀ। ଉକ୍ତ ପ୍ରାଣୀ ସହ ଆଧ୍ୟାତ୍ମିକ ସମ୍ପର୍କ ମଧ୍ୟ ଯୋଡ଼ି ରହିଛି। ତେଣୁ ଉକ୍ତ ମୃଗକୁ ଲୋକେ ପ୍ରାୟ ଶିକାର କରନ୍ତି ନାହିଁ। ଗାଁ ଭିତରେ ଏମାନେ ଅବାଧରେ ଘୁରି ବୁଲନ୍ତି। ଏହିଭଳି ବିରଳ ପ୍ରାଣୀର ସୁରକ୍ଷା ଏବଂ ସମ୍ପ୍ରସାରଣ ପାଇଁ ଗତବର୍ଷ ତତ୍କାଳୀନ ପିସିସିଏଫ ସୁଶାନ୍ତ ନନ୍ଦ ରାଜ୍ୟର ଅନ୍ୟ ବନଖଣ୍ଡରେ ମଧ୍ୟ ଏହାର ବୃଦ୍ଧି କିଭଳି ହେବ ସେନେଇ ଯୋଜନା କରିଥିଲେ। ଫଳରେ ଘୁମୁସର ଉତ୍ତର ବନଖଣ୍ଡରୁ ଗତବର୍ଷ ଏକାଧିକ ମୃଗ ଅନ୍ୟ ବନଖଣ୍ଡରେ ନେଇ ଛଡ଼ାଯାଇଥିଲା।

 

Dharitri – Odisha’s No.1 Odia Daily