Categories: Home Leftଖେଳ

ଭାରତ-ଶ୍ରୀଲଙ୍କା ସିରିଜ୍‌ ଉପରେ କଳା ବାଦଲ

କଲମ୍ବୋ,୯।୭: ଆସନ୍ତା ୧୩ ତାରିଖରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହେବାକୁ ଥିବା ଦିନିକିଆ ଓ ଟି୨୦ ସିରିଜ୍‌କୁ ଘେରି ଦେଇଛି କଳା ବାଦଲ। ଘରୋଇ ଦଳର ବ୍ୟାଟିଂ କୋଚ୍‌ ଗ୍ରାଣ୍ଟ ଫ୍ଲାଓ୍ବରଙ୍କ ପରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଡାଟା ଆନାଲିଷ୍ଟ ଜି ଟି ନିରୋଶାନ। ଏ ନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ଶନିବାର କୁହଯାଇଛି। ମେଡିକାଲ ପ୍ରୋଟୋକଲ ଅନୁଯାୟୀ, ଦଳର ଦୁଇ ଷ୍ଟାଫ୍‌ଙ୍କ ଚିକିତ୍ସା ଚାଲିଛି। ଦୁଇ ଷ୍ଟାଫ ପଜିଟିଭ ଚିହ୍ନଟ ହୋଇଥିବାରୁ ଦଳୀୟ ଖେଳାଳିମାନେ ମଧ୍ୟ ସଂକ୍ରମିତ ଥାଇପାରନ୍ତି। କାରଣ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ଶେଷ ହେବା ପରେ ଇଂଲଣ୍ଡ ଦଳର ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ।

ଶ୍ରୀଲଙ୍କା ଜାତୀୟ ଦଳର ଡାଟା ଆନାଲିଷ୍ଟ ଜି ଟି ନିରୋଶାନଙ୍କ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ ଆସିଛି। ବ୍ୟାଟିଂ ପରାମର୍ଶଦାତା ପଜିଟିଭ ଚିହ୍ନଟ ହେବା ପରେ ଦଳୀୟ ଖେଳାଳି, କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ ପିସିଆର ଟେଷ୍ଟ କରାଯାଇଥିଲା। ଏବେ ମେଡିକାଲ ପ୍ରୋଟୋକଲ ଅନୁଯାୟୀ, ନିରୋଶାନଙ୍କ ଚିକିତ୍ସା ଚାଲିଛି ବୋଲି ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି) ପକ୍ଷରୁ କୁହାଯାଇଛି। ଇଂଲଣ୍ଡ ଖେଳାଳିମାନେ ସଂକ୍ରମିତ ଥିବା ଜଣା ପଡ଼ିବା ପରେ ଗୁରୁବାର ଶ୍ରୀଲଙ୍କା ଖେଳାଳିଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା। ସେଥିରେ ବ୍ୟାଟିଂ କୋଚ୍‌ ଫ୍ଲାଓ୍ବରଙ୍କ ରିପୋର୍ଟ ପଜିଟିଭ ଆସିଥିଲା।