ସୁପ୍ରିମକୋର୍ଟ ଗଲା ବିକେୟୁ

ନୂଆଦିଲ୍ଲୀ, ୧୭।୧(ପି.ଟି.): ବିବାଦୀୟ କୃଷି ଆଇନକୁ ନେଇ ଅଚଳାବସ୍ଥା ଜାରି ରହିଥିବାବେଳେ ଏହାର ସମାଧାନ ସୂତ୍ର ବାହାର କରିବା ଲାଗି ସୁପ୍ରିମକୋର୍ଟ ୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ। ଉକ୍ତ କମିଟିରୁ ଭୂପିନ୍ଦର ସିଂ ମାନ୍‌ ଓହରିଯାଇଥିବାବେଳେ ଅନ୍ୟ ୩ ସଦସ୍ୟଙ୍କୁ କାଢ଼ିଦେବା ପାଇଁ କୃଷକ ସଂଗଠନ ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଛି। କମିଟି ସଦସ୍ୟମାନେ ପୂର୍ବରୁ ଆଇନକୁ ସମର୍ଥନ କରୁଥିବାରୁ ସେମାନଙ୍କୁ ନିଯୁକ୍ତି ଦେବା ପକ୍ଷପାତବିହୀନ ନୀତିର ବିରୁଦ୍ଧ ହେବ ବୋଲି ଭାରତୀୟ କିଷାନ ୟୁନିୟନ ଲୋକଶକ୍ତି ପକ୍ଷରୁ କୁହାଯାଇଛି।
ସାଧାରଣତନ୍ତ୍ର ଦିବସରେ ବିଶୃଙ୍ଖଳା ସୃଷ୍ଟି ଲାଗି କୃଷକମାନେ ସେଦିନ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଥିବାରୁ ଏହାକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ ଜରିଆରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଉକ୍ତ ପିଟିଶନ୍‌କୁ ଖାରଜ କରିଦେବା ପାଇଁ କୃଷକ ସଂଘ ଏକ ସତ୍ୟପାଠ ଜରିଆରେ ଅଦାଲତଙ୍କୁ କହିଛି। ପ୍ରସ୍ତାବିତ ଟ୍ରାକ୍ଟର ରାଲି ବିରୋଧରେ ୧୮ରେ ଶୁଣାଣି ପାଇଁ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାଜି ହୋଇଛନ୍ତି।
କମିଟିରେ ଅଲ୍‌ ଇଣ୍ଡିଆ କିଷାନ କୋଅର୍ଡିନେଶନ କମିଟି ଚେୟାରମ୍ୟାନ୍‌ ଏସ୍‌. ଭୂପିନ୍ଦର ସିଂ ମାନ୍‌ଙ୍କ ସମେତ କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି, ଦକ୍ଷିଣ ଏସିଆ ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ସଂସ୍ଥା ନିର୍ଦ୍ଦେଶକ ଡକ୍ଟର ପ୍ରମୋଦ କୁମାର ଜୋଷୀ, ମହାରାଷ୍ଟ୍ରର ଶେତ୍‌କେରି ସଙ୍ଗଠନ ମୁଖ୍ୟ ଅନିଲ ଘନଓ୍ବତ୍‌ଙ୍କୁ ରଖିବା ପାଇଁ ସିଜେଆଇ ବୋବ୍‌ଡେ ପ୍ରସ୍ତାବ ଦେଇଥିଲେ। ସମସ୍ତେ କୃଷି ଆଇନ ସପକ୍ଷବାଦୀ ହୋଇଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ଗୁରୁବାର ଉକ୍ତ କମିଟିରୁ ଭୂପିନ୍ଦର ଓହରିଯାଇଥିଲେ।