ବଢୁଛି ଭାଜପାର ଶକ୍ତି: ଦଳରେ ମିଶିଲେ ଏନ୍‌ଏସି ଅଧ୍ୟକ୍ଷ, କାଉନ୍‌ସିଲର

ନୂଆପଡ଼ା,୨୫ା୨(ମକାରୁ ବେମାଲ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ମଙ୍ଗଳବାର ଦିନିକିଆ ନୂଆପଡ଼ା ଜିଲା ଗସ୍ତରେ ଆସି ଜିଲା କାର୍ଯ୍ୟାଳୟଠାରେ ପଣ୍ଡିତ ଦୀନ୍‌ଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ। ଏହି ଅବସରରେ ଏକ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା। ଜିଲା ଭାଜପା ସଭାପତି କମଲେଶ ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ସାମଲ, କଳାହାଣ୍ଡି ଏମ୍‌ପି ମାଲବିକା ଦେବୀ, ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଖରିଆର ରୋଡ୍‌ ଏନ୍‌ଏସି ଅଧ୍ୟକ୍ଷା ଡ. ସୋନିଆ ଜୈନ, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ, ବରିଷ୍ଠ ନେତା ଲମ୍ବୋଦର ନିଆଲ, ଭାଜପା ଜିଲା ଉପସଭାପତି ଅଭିନନ୍ଦନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ନୂଆପଡ଼ା ଏନ୍‌ଏସି ଅଧ୍ୟକ୍ଷ ମହମ୍ମଦ ଆଦମ, କାଉନସିଲର ଧରମରାଜ ଶବର, ସଂଗୀତା ପାରଖ, ଥାନେଶ୍ୱର ସୁନା, ଶିବନନ୍ଦ ପାତ୍ର, ମଳୟ ମଣ୍ଡଳ, ଧନେଶ୍ୱରୀ ସାହୁ, ରାନୁ ସାହୁ, ଭଗବତୀ ଦଣ୍ଡସେନା ପ୍ରମୁଖ ଭାଜପାରେ ଯୋଗଦାନ କରିଛନ୍ତି। ରାଜ୍ୟ ସଭାପତି ସାମଲ ସମସ୍ତଙ୍କୁ ଉତ୍ତରୀୟ ଦେଇ ଦଳକୁ ସ୍ବାଗତ କରିଥିଲେ। ପରେ ସେ ନିଜ ପ୍ରତିକ୍ରିୟାରେ ଏମାନଙ୍କ ଯୋଗଦାନ ଦଳକୁ ଆହୁରି ମଜଭୁତ କରିବା ସହ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଥିଲେ। ଭାଜପାରେ ଯୋଗଦେଇଥିବା ନୂଆପଡ଼ା ଏନ୍‌ଏସି ଅଧ୍ୟକ୍ଷ ଆଦମ ଆମେ ପୂର୍ବରୁ ରାଜୁ ଭାଇଙ୍କ ସହ ଥିଲୁ, ଏବେ ଜୟ ଭାଇଙ୍କ ସହ ଅଛୁ ଓ ରହିବୁ ବୋଲି କହିଥିଲେ।

 

Dharitri – Odisha’s No.1 Odia Daily

 

Share