ଦ୍ରୋପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଭାଜପାର ପୂର୍ବତନ ସହଯୋଗୀ ଅକାଳୀ ଦଳ

ନୂଆଦିଲ୍ଲୀ,୧।୭: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ସହଯୋଗୀ ଅକାଳୀ ଦଳ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ। ଏନେଇ ଶୁକ୍ରବାର ଚଣ୍ଡିଗଡ଼ରେ ବସିଥିବା ଦଳର କୋର କମିଟି ବୈଠକ ପରେ ଘୋଷଣା କରାଯାଇଛି। ଦୀର୍ଘ ୨୧ ମାସ ଧରି ଭାଜପା ମେଣ୍ଟରୁ ଦୂରେଇ ଯାଇଥିବା ଦଳ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନିଜର ଆଭିମୁଖ୍ୟ ବଦଳାଇବା ନେଇ ଚର୍ଚ୍ଚା ହେଉଛି।

ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅକାଳୀ ଦଳ ସୁପ୍ରିମୋ ସୁଖବୀର ସିଂହ ବାଦଲଙ୍କ ସହ କଥା ହୋଇଥିଲେ। ଏହି ସମୟରେ ସେ ମୁର୍ମୁଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ। ଏନେଇ ବୈଠକ କରାଯିବା ପରେ ଅକାଳୀ ଦଳ ସୁପ୍ରିମୋ ସୁଖବୀର ସିଂହ ବାଦଲ କହିଛନ୍ତି, କୃଷି ଆଇନ, ଶିଖ୍‌ଙ୍କୁ ଜେଲ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଭାଜପା ସହ ଆମର ମତ ପାର୍ଥକ୍ୟ ଥିଲେ ମଧ୍ୟ ଆମେ ସେମାନଙ୍କ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛୁ। କଂଗ୍ରେସ ଦେଇଥିବା ପ୍ରାର୍ଥୀଙ୍କୁ କେବେ ହେଲେ ତାଙ୍କ ଦଳ ସମର୍ଥନ କରିବ ନାହିଁ। ଅକାଳୀ ଦଳ ସବୁବେଳେ ସମାଜର ପଛୁଆ ବର୍ଗର ବିକାଶ କଥା ଚିନ୍ତା କରି ଆସିଛି। ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସମର୍ଥନ କରିବା ଆମର ଦାୟିତ୍ୱ। ମୁର୍ମୁ ଜଣେ ଆଦିବାସୀ ହୋଇଥିବାରୁ ଅକାଳୀ ଦଳ ତାଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି

Share