ଉପରାଷ୍ଟ୍ରପତି ପଦବୀକୁ ନେଇ ମାଷ୍ଟରଷ୍ଟ୍ରୋକ୍‌ ଖେଳିବ ଭାଜପା, ମୋଦି ସରକାରଙ୍କ ପସନ୍ଦ ତାଲିକାରେ ଏହି ନାଁ…

ନୂଆଦିଲ୍ଲୀ, ୨୩ା୭: ଜଗଦୀପ ଧନକର ସଂସଦର ମୌସୁମୀ ଅଧିବେଶନ ପ୍ରଥମ ଦିନରେ ଇସ୍ତଫା ଦେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଙ୍କ ଇସ୍ତଫା ପରେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ସମ୍ବିଧାନର ଅନୁଚ୍ଛେଦ ୬୮(୨) ଅନୁଯାୟୀ ନିର୍ବାଚନ ଆବଶ୍ୟକତା ପଡ଼ିଛି। ଉପରାଷ୍ଟ୍ରପତି ଆସନରେ କିଏ ଅବସ୍ଥାପିତ ହେବେ ସେନେଇ ଭାଜପା ଓ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ନେତାଙ୍କ କସରତ ଆରମ୍ଭ ହୋଇଛି। ସଂସଦର ଉଭୟ ଗୃହରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏର ସଂଖ୍ୟାବଳ ଥିବାରୁ ଶାସକ ମେଣ୍ଟ ଅନାୟାସରେ ଉପରାଷ୍ଟ୍ରପତି ନିର୍ବାଚନରେ ବାଜିମାତ୍‌ କରିପାରେ। ୫୪୩ ଆସନ ବିଶିଷ୍ଟ ଲୋକ ସଭାରେ ପଶ୍ଚିମବଙ୍ଗର ବସିରହାଟ ଆସନ ଖାଲିପଡ଼ିଛି। ସେହିପରି ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟ ସଭାରେ ୫ ଆସନ ଖାଲି ପଡ଼ିଥିବାରୁ ଉଚ୍ଚ ସଦନର ଆସନ ସଂଖ୍ୟା ୨୪୦କୁ ଖସିଆସିଛି। ଏହି ୫ ଆସନ ମଧ୍ୟରୁ ଜମ୍ମୁ-କଶ୍ମୀରର ୪ ଓ ଅନ୍ୟଟି ପଞ୍ଜାବର। ଲୋକ ସଭାରେ ଏନ୍‌ଡିଏର ୨୯୩ ଏବଂ ରାଜ୍ୟ ସଭାରେ ୧୨୯ ସଦସ୍ୟ ଅଛନ୍ତି। ଏହାବାଦ୍‌ ରାଜ୍ୟ ସଭାରେ ମନୋନୀତ ସଦସ୍ୟମାନେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇପାରନ୍ତି। ଏଭଳି ସ୍ଥିତିରେ ଉଭୟ ଗୃହର ମିଳିତ ଏମ୍‌ପିଙ୍କ ସଂଖ୍ୟା ୭୮୬ ରହିଥିବାରୁ ନିର୍ବାଚନ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ୩୯୪ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ତେବେ ଏନ୍‌ଡିଏ ସଂଖ୍ୟା ୪୨୨ ରହିଥିବାରୁ ନିର୍ବାଚନ କରାଗଲେ ଶାସକ ମେଣ୍ଟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଉଜ୍ଜ୍ୱଳ।
ଭାଜପାର ଜଣେ ବରିଷ୍ଠ ତଥା ନିର୍ବିବାଦୀୟ ନେତାଙ୍କୁ ଉପରାଷ୍ଟ୍ରପତି କରାଯାଇପାରେ ବୋଲି ଦଳର ଜଣେ ନେତା କହିଛନ୍ତି। ୨୦୨୦ରୁ ରାଜ୍ୟ ସଭା ଉପାଧ୍ୟକ୍ଷ ହରିବଂଶ ସରକାରଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି। ତେଣୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏମ୍‌ପି ହରିବଂଶ ନାରାୟଣ ସିଂଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ଜଣେ ପ୍ରମୁଖ ଦାବିଦାର ବିବେଚନା କରାଯାଉଛି। ନ୍ୟୁଜ୍‌ ଏଜେନ୍ସିଗୁଡ଼ିକର ରିପୋର୍ଟ ଅନୁସାରେ ଭାଜପା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଧନକରଙ୍କ ଭଳି ଜଣେ ଗଭର୍ନରଙ୍କୁ ତାଙ୍କ ଉତ୍ତରାଧିକାରୀ ବାଛିପାରେ। ଏହି ଦୃଷ୍ଟିରୁ ବିହାର ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ୍‌ ମୋଦି ସରକାରଙ୍କ ପସନ୍ଦ ତାଲିକାରେ ରହିଛନ୍ତି। ସଂଖ୍ୟାଲଘୁ ବର୍ଗର ଆରିଫ୍‌ କେରଳ ରାଜ୍ୟପାଳ ଥିବାବେଳେ ଅନେକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଜଣାଇଥିଲେ। ସେହିପରି କେରଳର ଥିରୁଭାନନ୍ତପୁରମ୍‌ ଏମ୍‌ପି ଶଶୀ ଥରୁରଙ୍କ ନାମ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି। ଅପରେଶନ ସିନ୍ଦୂର ପରେ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ଭାରତ ସରକାରଙ୍କ ଦୂତ ସାଜି ଆମେରିକା ସମେତ ଅନେକ ଦେଶରେ ମୋଦି ସରକାରଙ୍କୁ ପ୍ରଶଂସା କରିଥିଲେ। କଂଗ୍ରେସ ହାଇକମାଣ୍ଡଙ୍କ ସହ ଥରୁରଙ୍କ ପଡ଼ୁନାହିଁ। ଏହି ବିରୋଧୀ ଏମ୍‌ପିଙ୍କୁ ପୁରସ୍କାର ମିଳିପାରେ ବୋଲି କୁହାଯାଉଛି।
ଥରୁର, ଅରିଫ୍‌ କିମ୍ବା ହରିବଂଶଙ୍କ ଭଳି ସମ୍ଭାବ୍ୟ ନାମ ମଧ୍ୟରୁ ଯିଏ ଉପରାଷ୍ଟ୍ରପତି ହେବେ, ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଆସିନ କରାଇ ଭାଜପା ଗୋଟିଏ ଗୁଳିରେ ଏକାଧିକ ଶିକାର କରିବାକୁ ଚାହୁଁଥାଇପାରେ ବୋଲି ଆଲୋଚନା ହେଉଛି। ପୁଣି କୁହାଗଲାଣି ଜଣେ ପ୍ରଗତିଶୀଳ ମୁସଲିମ୍‌ ବୁଦ୍ଧିଜୀବୀଙ୍କୁ ସାମ୍ବିଧାନିକ ପଦରେ ଅବସ୍ଥାପିତ କରି ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ପକ୍ଷ ଏକ ମାଷ୍ଟ୍ରରଷ୍ଟ୍ରୋକ୍‌ ଖେଳିପାରେ।
ଏହାବାଦ୍‌, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାମ ମଧ୍ୟ ଏହି ପଦ ପାଇଁ ଶୁଣାଯାଉଛି। ତେବେ ଅପ୍ରତ୍ୟାଶିତ ନିଷ୍ପତ୍ତି ନେଇ ଦେଶବାସୀଙ୍କୁ ବିସ୍ମିତ କରିଆସିଥିବା ମୋଦି ସରକାର ଆଦୌ ନାମ ଉଠୁ ନ ଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଉପରାଷ୍ଟ୍ରପତି ପଦରେ ଅଳଙ୍କୃତ କରାଇପାରନ୍ତି। ଆର୍‌ଏସ୍‌ଏସ୍‌ ଫ୍ୟାକ୍ଟର ମଧ୍ୟ କାମ କରିପାରେ ବୋଲି ରାଜନୈତିକ ବିଶ୍ଳେଷକ ମନେକରୁଛନ୍ତି।