ନୂଆଦିଲ୍ଲୀ,୩ା୧୨: ଏକ ଭାଇରାଲ ଏଆଇ-ଜେନେରେଟେଡ ଭିଡିଓ କଂଗ୍ରେସ ଏବଂ ଭାଜପା ମଧ୍ୟରେ ନୂଆ ବିବାଦ ସୃଷ୍ଟି କରିଛି। ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରେଡ୍-କାରପେଟରେ ଚା’ ବିକୁଥିବାର ଦେଖାଯାଇଛି। କଂଗ୍ରେସ ନେତା ରାଗିଣୀ ନାୟକ ଏହାକୁ ଇନ୍ଷ୍ଟାଗ୍ରାମରେ ଶେୟାର କରି ଲେଖିଛନ୍ତି, ‘ଏବେ ଏହା କିଏ କଲା? ଭିଡିଓ ସାମ୍ନାକୁ ଆସିବାର କିଛି ସମୟ ପରେ, ଭାଜପା କଂଗ୍ରେସ ଉପରେ ଆକ୍ରମଣ କରି ଏହାକୁ ପ୍ରଧାନମନ୍ତ୍ରୀଙ୍କ ଅପମାନ ବୋଲି କହିଛି।
ଭିଡିଓରେ ପ୍ରଧାନମନ୍ତ୍ରୀ ହାଲୁକା ନୀଳ କୋଟ୍ ଏବଂ କଳା ପ୍ୟାଣ୍ଟ ପିନ୍ଧି ଏକ କେଟଲି ଏବଂ ଏକ ଗ୍ଲାସ ଚା’ ଧରିଥିବା ଦେଖାଯାଇଛି। ବ୍ୟାକ୍ଗ୍ରାଉଣ୍ଡରେ ଅନ୍ତର୍ଜାତୀୟ ପତାକା ଏବଂ ଭାରତୀୟ ପତାକା ପ୍ରଦର୍ଶିତ ହୋଇଛି। ଭିଡିଓଟି ଏଆଇ-ଜେନେରେଟେଡ ବୋଲି କୁହାଯାଉଛି। ଭାଜପା ମୁଖପାତ୍ର ଶେହଜାଦ ପୁନାଓ୍ବାଲା ଭିଡିଓର କଡ଼ା ସମାଲୋଚନା କରି କହିଛନ୍ତି, ‘ରେଣୁକା ଚୌଧୁରୀ ସଂସଦ ଏବଂ ସେନାକୁ ଅପମାନ କରିବା ପରେ, ଏବେ ରାଗିଣୀ ନାୟକ ମୋଦିଙ୍କ ଚା’ ବାଲା ବ୍ୟାକ୍ଗ୍ରାଉଣ୍ଡକୁ ଉପହାସ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ଓବିସିି କମ୍ୟୁନିଟିର ଜଣେ ପରିଶ୍ରମୀ ପ୍ରଧାନମନ୍ତ୍ରୀଙ୍କୁ ଗ୍ରହଣ କରିବାକୁ ଅସମର୍ଥ।
ପୁନାଓ୍ବାଲା ଅଭିଯୋଗ କରିଛନ୍ତି ଯେ, ସେ ୧୫୦ରୁ ଅଧିକ ଥର ମୋଦିଙ୍କୁ ଅପମାନ କରିଛନ୍ତି। ତାଙ୍କ ମାଆଙ୍କୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ଦେଶ ଏହାକୁ କେବେ କ୍ଷମା କରିବ ନାହିଁ।