ଭାଜପା, ଶିନ୍ଦେ ସେନା ଛକାପଞ୍ଝା

ମୁମ୍ବାଇ,୨୨ା୧: ଏସିଆର ସବୁଠୁ ଧନୀ ମହାନଗର ନିଗମ ବିଏମ୍‌ସି ନିର୍ବାଚନ ଜାନୁଆରୀ ୧୫ରେ ଅନୁଷ୍ଠିତ ହୋଇଥିଲା। ୨୨୭ ଆସନ ବିଶିଷ୍ଟ ବିଏମ୍‌ସି ଦଖଲ ପାଇଁ ମ୍ୟାଜିକ୍‌ ନମ୍ବର ହେଉଛି ୧୧୪। ଭାଜପାକୁ ୮୯ ଆସନରେ ସଫଳତା ମିଳିଥିବାବେଳେ ଶିନ୍ଦେ ସେନା ୨୯ ଆସନରେ ବିଜୟୀ ହୋଇଛି। ଉଦ୍ଧବ ଠାକ୍‌ରେଙ୍କ ଶିବସେନା ୟୁବିଟି ୬୫ ଆସନରେ ସୀମିତ ରହିଛି। ମୁଖ୍ୟମନ୍ତ୍ରୀରୁ ଉପମୁଖ୍ୟମନ୍ତ୍ରୀ ପଦକୁ ଓହ୍ଲାଇଥିବା ଶିନ୍ଦେ ନିଜ ଦଳରୁ ମେୟର ଚାହୁଁଛନ୍ତି। ତେଣୁ ଶିବସେନାରୁ ଜଣେ ପ୍ରଥମ ଅଢ଼େଇ ବର୍ଷ ଓ ପରେ ଭାଜପାରୁ ଜଣେ ପରବର୍ତ୍ତୀ ଅଢ଼େଇ ବର୍ଷ ମେୟର ହୁଅନ୍ତୁ ବୋଲି ଶିନ୍ଦେ ଦାବି କରିଥିବା କୁହାଯାଉଛି। କିନ୍ତୁ ଭାଜପା ପ୍ରଥମ ଥର ପାଇଁ ପାଇଥିବା ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହିଁ। ଏଭଳି ସ୍ଥିତିରେ ମେୟର ପଦ କିଏ ଦଖଲ କରିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।
ଇତିମଧ୍ୟରେ ମହାରାଷ୍ଟ୍ର ସରକାରଙ୍କ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ଲଟେରି କରାଯିବା ଉପରେ ବିଜ୍ଞପ୍ତି ପ୍ରକାଶ ପାଇଛି। ମହାରାଷ୍ଟ୍ରର ମେୟରମାନେ କର୍ପୋରେଟରଙ୍କ ଜରିଆରେ ନିର୍ବାଚିତ ହୁଅନ୍ତି। କିନ୍ତୁ ସାଧାରଣ ବର୍ଗ କିମ୍ବା ମହିଳା, ତଫସିଲଭୁକ୍ତ ଜାତି (ଏସ୍‌ସି), ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ଅଥବା ଅନ୍ୟ ପଛୁଆ ବର୍ଗ (ଓବିସି)ରୁ ମେୟର କରାଯିବା ନେଇ ପ୍ରଥମେ ଲଟେରି କରାଯାଇଥାଏ। ଏହି କାଟାଗୋରି ନିର୍ଦ୍ଧାରିତ ହେବା ପରେ ଯୋଗ୍ୟ କର୍ପୋରେଟରମାନେ ନିଜ ନାମାଙ୍କନପତ୍ର ଦାଖଲ କରନ୍ତି। ନାମାଙ୍କନ ଶେଷ ହେବା ପରେ ମ୍ୟୁନିସିପାଲ କର୍ପୋରେଶନ୍‌ର ଏକ ସ୍ବତନ୍ତ୍ର ବୈଠକରେ ମେୟର ନିର୍ବାଚନ କରାଯାଇଥାଏ। ସମ୍ବିଧାନର ୭୪ତମ ସଂଶୋଧନ ଅନୁଯାୟୀ ରୋଟେଶନ୍‌ଭିତ୍ତିରେ ବିଭିନ୍ନ ବର୍ଗକୁ ସୁଯୋଗ ମିଳିଥାଏ।
ଗୁରୁବାର ଲଟେରି ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ବୁଧବାର ଡାଭୋସ୍‌ରେ ଚାଲିଥିବା ଓ୍ବାଲର୍‌ଡ ଇକୋନୋମିକ୍‌ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌) ବାର୍ଷିକ ସମ୍ମିଳନୀରେ ଯୋଗଦେଇଛନ୍ତି। ତେଣୁ ଫଡ୍‌ନବିସ ଫେରିବା ପରେ ବିଏମ୍‌ସିର ପ୍ରଶାସନିକ ନିୟନ୍ତ୍ରଣ କାହା ହାତରେ ରହିବ ସେନେଇ ନିଷ୍ପତ୍ତି ନିଆଯିବ। ଏହା ପୂର୍ବରୁ ଶିନ୍ଦେ ସେନାର ନବନିର୍ବାଚିତ କର୍ପୋରେଟରମାନେ ମୁମ୍ବାଇର ଏକ ହୋଟେଲରେ ଅବସ୍ଥାନ କରିଛନ୍ତି। ଶିନ୍ଦେଙ୍କ ଦଳ ଏହାକୁ ‘ଓରିଏଣ୍ଟେଶନ୍‌ ସେସନ୍‌’ ବୋଲି କହୁଥିବାବେଳେ ବିରୋଧୀ ରିସର୍ଟ ପଲିଟିକ୍ସର ଅଭିଯୋଗ ଆଣିଛନ୍ତି।

 

Dharitri – The Largest & Most Trusted Odia Daily

Share