ଦିଲ୍ଲୀରେ ଏବେ ଟ୍ରିପଲ୍‌ ଇଞ୍ଜିନ ସରକାର, ଭୁଶୁଡ଼ିଲା କେଜ୍‌ରିଓ୍ବାଲଙ୍କ କ୍ଷମତାର ଶେଷ ଦୁର୍ଗ

ନୂଆଦିଲ୍ଲୀ,୨୫।୪: ଜାତୀୟ ରାଜଧାନୀ ଦିଲ୍ଲୀରେ ଶୁକ୍ରବାରଠାରୁ’ଟ୍ରିପଲ ଇଞ୍ଜିନ’ ସରକାର ଆରମ୍ଭ ହୋଇଛି। ଭାରତୀୟ ଜନତା ପାର୍ଟି(ଭାଜପା)ର ରାଜା ଇକବାଲ ମେୟର ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେହିଭଳି ଡେପୁଟି ମେୟର ପଦବୀ ମଧ୍ୟ ଭାଜପା ପାଖରେ ରହିଛି। ତେବେ ଆମ ଆଦମୀ ପାର୍ଟି(ଆପ୍‌) ପ୍ରଥମେ ମେୟର ନିର୍ବାଚନରେ ପ୍ରାର୍ଥୀ ଦେବାକୁ ମନା କରିଦେଇଥିଲା। ପରେ ନିର୍ବାଚନ ବର୍ଜନ କରିଥିଲା, ଯାହା ଫଳରେ ମେୟର ନିର୍ବାଚନ ଭାଜପାକୁ ଜିତିବା ପାଇଁ ବହୁତ ସହଜ ହୋଇଯାଇଥିଲା।

ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ(MCD) ମେୟର ନିର୍ବାଚନରେ ଭାଜପାକୁ ୧୩୩ଟି ଭୋଟ ମିଳିଥିବା ବେଳେ କଂଗ୍ରେସକୁ ମାତ୍ର ୮ଟି ଭୋଟ ମିଳିଛି। ଅପରପକ୍ଷେ ଆମ ଆଦମୀ ପାର୍ଟି ଏହି ନିର୍ବାଚନକୁ ବର୍ଜନ କରିଥିଲା। ଏପରି ପରିସ୍ଥିତିରେ ଭାଜପା ନିର୍ଦ୍ୱନ୍ଦ୍ୱରେ ନିର୍ବାଚନ ଜିତିନେଇଛି। ଏହା ସହିତ କେନ୍ଦ୍ର ଏବଂ ଦିଲ୍ଲୀରେ ଭାଜପା ସରକାର ହେବା ସହିତ ଏମ୍‌ସିଡିରେ ଦଳର ମେୟର ମଧ୍ୟ ନିର୍ବାଚିତ ହୋଇଛନ୍ତି।

ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନରେ ଭାଜପା ଅଧିକାଂଶ ଦିନ କ୍ଷମତାରେ ରହିଛି। ହେଲେ ଫେବୃଆରୀ ୨୦୨୩ରୁ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ମେୟର ପଦବୀ ଆମ ଆଦମୀ ପାର୍ଟି ପାଖରେ ଥିଲା ଏବଂ ଦଳର ସେଲି ଓବେରୟ ମେୟର ଥିଲେ।

ସର୍ଦ୍ଦାର ରାଜା ଇକବାଲ ସିଂହ କିଏ?
ଭାଜପା ନେତା ସର୍ଦ୍ଦାର ରାଜା ଇକବାଲ ସିଂହ ଏପର୍ଯ୍ୟନ୍ତ ଦିଲ୍ଲୀ ନଗର ନିଗମରେ ବିରୋଧୀ ଦଳ ନେତା ପଦବୀରେ ଥିଲେ। ପୂର୍ବରୁ ସେ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ମେୟର ପଦରେ କାର୍ଯ୍ୟ କରିଛନ୍ତି। ସର୍ଦ୍ଦାର ରାଜା ଇକବାଲ ସିଂହ ପୂର୍ବରୁ ଅକାଳୀ ଦଳରେ ଥିଲେ, କିନ୍ତୁ କୃଷି ଆଇନକୁ ନେଇ ଶିରୋମଣି ଅକାଳୀ ଦଳ ଏବଂ ଭାଜପା ମଧ୍ୟରେ ଦୂରତା ବଢ଼ିବା ପରେ ସେ ଭାଜପାରେ ଯୋଗ ଦେଇଥିଲେ।