ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଅଭିଯୋଗ, ଭାଜପା ପକ୍ଷରୁ ବିକ୍ଷୋଭ

ଦିଗପହଣ୍ଡି,୧୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଚନ୍ଦ୍ରଚୁଡେଶ୍ବର ଶୈବପୀଠ ନିକଟରେ ଥିବା ନରସିଂହ ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ପ୍ରକାଶ ପାଇଛି। ଏଥିରେ ବହୁ ଅନିୟମିତତା କରାଯାଇଥିବା ପ୍ରତିବାଦରେ ଦିଗପହଣ୍ଡି ନଗର ଭାଜପା ପକ୍ଷରୁ ଗୁରୁବାର ସ୍ଥାନୀୟ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଭାଜପା ରାଜ୍ୟ ପରିଷଦ ସଦସ୍ୟ ପରେଶ ଚନ୍ଦ୍ର ରଥ,ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଭବାନୀ ଶଙ୍କର ପଣ୍ଡା , ଦିଗପହଣ୍ଡି ନଗର ସଭାପତି ପ୍ରଶାନ୍ତ ପୂଜାରୀ , କର୍ମକର୍ତ୍ତା ଇ. ବିସିକେସନ, ସିମା ଦାସ, ବିଶ୍ୱନାଥ ପଣ୍ଡା,ରବୀନ୍ଦ୍ର କୁମାର ଶୁକ୍ଳା , ସଞ୍ଜୟ ସ୍ବାଇଁ, ଇ .ପ୍ରହଲ୍ଲାଦଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ମହିଳା ଓ ପୁରୁଷ ଏହି ବିକ୍ଷୋଭରେ ସାମିଲ ଥିଲେ। ପୋଖରୀ ପୁନଃରୁଦ୍ଧାର ଏବଂ ପଙ୍କୋଦ୍ଧାର କାର୍ଯ୍ୟ ସଠିକ ଭାବେ କରାଯାଉନଥିବା କାରଣରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୋଖରୀର ପୁନଃରୁଦ୍ଧାର ନିମନ୍ତେ ସରକାର ଅନୁଦାନ ମଞ୍ଜୁର କରିଥିବା ବେଳେ କାର୍ଯ୍ୟ ଖସଡ଼ା ଅନୁଯାୟୀ ନିର୍ମାଣ କାର୍ଯ୍ୟ ହେଉନାହିଁ। ପୋଖରୀରୁ କମ ପରିମାଣର ପଙ୍କ ଉଦ୍ଧାର ପରେ ତାହାକୁ ପୋଖରୀ ବାହାରକୁ କଢ଼ା ନ ଯାଇ ପୋଖରୀ ହୁଡ଼ାରେ ପକାଯିବା ଦ୍ବାରା ଲକ୍ଷ୍ୟ ସାଧିତ ହେବ ନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ପୂର୍ବରୁ ଏନେଇ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼.ଅଶୋକ କୁମାର କର୍ଣ୍ଣ ଓ ନଗରପାଳ ପ୍ରଫୁଲ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କାରଣରୁ ଭାଜପା ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା କୁହାଯାଇଛି।

Share
Tags: BJP protests