Categories: ମେଟ୍ରୋ

ମୁଖ୍ୟମନ୍ତ୍ରୀଙ୍କୁ ଭାଜପା ନେତା ଦାୟୀ କରିବା ଅପ୍ରାସଙ୍ଗିକ: ଦାମ

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି ଆନ୍ଦୋଳନରତ ସମ୍ବଲପୁର ଓକିଲ ସଂଘ ଏବଂ ସୁପ୍ରିମକୋର୍ଟଙ୍କ ମଧ୍ୟରେ ଯେଉଁ ସମସ୍ୟା ଉପୁଜିଛି ଏବଂ ଏଥିରେ ଓକିଲମାନେ ଗିରଫ ହୋଇ ଜେଲ୍‌କୁ ଯିବା ଘଟଣା ସମ୍ପର୍କରେ ଭାଜପା ଏମ୍‌ପି ସୁରେଶ ପୂଜାରୀ ଏବଂ ତାଙ୍କର ସହଯୋଗୀ ଭାଜପା ନେତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିବା ଅପ୍ରାସଙ୍ଗିକ ବୋଲି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି। ସେ କହିଛନ୍ତି ଯେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ଏକ ବିଚାର ବିଭାଗୀୟ ବିଷୟ ଏବଂ ଏହା ପ୍ରଶାସନିକ ବିଚାର ଅଧିକାର ବିଷୟ ନୁହେଁ। ରାଜ୍ୟ ଭିତରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ କେଉଁ କାରଣରୁ କେଉଁଠାରେ ସ୍ଥାପନ କରାଯିବ ସେ ସମ୍ପର୍କରେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଆଲୋଚନା କରି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଲେ ରାଜ୍ୟ ସରକାର ଆନୁଷଙ୍ଗିକ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ସୁବିଧାସୁଯୋଗ ଯୋଗାଇ ଦେବେ। କିନ୍ତୁ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ସମ୍ପର୍କରେ ରାଜନୈତିକ କିମ୍ବା ପ୍ରଶାସନିକ ନିଷ୍ପତ୍ତି ନିଆଯିବା ସମ୍ଭବ ନୁହେଁ । ରାଜ୍ୟ ସରକାର ଯଦି ପଶ୍ଚିମ ପ୍ରାନ୍ତରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଆଣିବେ ଦକ୍ଷିଣାଞ୍ଚଳରେ ଥିବା ଜିଲାଗୁଡ଼ିକ ଏବଂ ଉତ୍ତର ଭାଗରେ ଥିବା ଜିଲାଗୁଡ଼ିକ ମଧ୍ୟ ସେମାନଙ୍କ ଅଞ୍ଚଳରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି ଉପସ୍ଥାପନ କରିବେ, ଯାହା ପଦ୍ମପୁରକୁ ଜିଲା ଘୋଷଣା କରିବା ଦାବିରୁ ଉଦ୍ଭବ ହୋଇଛି। ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରି ଗଣମାଧ୍ୟମରେ ଯେଉଁ ବିବୃତି ଦିଆଯାଉଛି ତାହା କେବଳ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ଲୋକମାନଙ୍କୁ ବିଭ୍ରାନ୍ତ କରିବା ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି ଦାମ କହିଛନ୍ତି ।