ନୂଆପଡ଼ା,୧ା୧୧ (ମକାରୁ ବେମାଲ): ଭାଜପା ଜାଣିସାରିଲାଣି ନୂଆପଡାରେ ବିଜେଡିର ବିଜୟ ସୁନିଶ୍ଚିତ। ସେଥିପାଇଁ ପୋଲିସ ପ୍ରଶାସନକୁ ରାଜନୈତିକ ଅସ୍ତ୍ର ଭାବେ ଶାସକ ଦଳ ବ୍ୟବହାର କରୁଛି। ଶୁକ୍ରବାର ସାରେ ନୂଆପଡ଼ାଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ଏହା କହିଛନ୍ତି। ସେ ଆହୁରି କହିଥିଲେ, ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ରାତିଅଧିଆ ଏପରି ଜଣେ ଆଇପିଏସ୍ ଅଧିକାରୀଙ୍କୁ ଏଠି ନିର୍ବାଚନ ଦାୟିତ୍ୱ ଦିଆଯାଉଛି ଯାହାଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠୁଛି। ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି। ଶୁକ୍ରବାର ସେ ରହୁଥିବା ସ୍ଥାନରେ ଯେପରି ଚଢାଉ କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ। ତୁରନ୍ତ ଏହି ଆଇପିଏସ୍ ଅଧିକାରୀଙ୍କୁ ନିର୍ବାଚନ ଦାୟିତ୍ୱରୁ ହଟାନ୍ତୁ। ନୂଆପଡ଼ା ଲୋକେ ଶାନ୍ତି, ସମ୍ମାନ ଓ ସୁରକ୍ଷା ଚାହୁଛନ୍ତି। ଭାଜପା ସରକାର ଆମକୁ ଭୟଭୀତ କରି ନିଜ ସପକ୍ଷରେ ଭୋଟ ନେବା ପାଇଁ ଯେଉଁ ହୀନ ଉଦ୍ୟମ କରୁଛନ୍ତି ତାହା କଦାପି ଗ୍ରହଣୀୟ ନୁହେଁ ବୋଲି ଘଡେଇ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ବିଧାୟକ ଗୌତମବୁଦ୍ଧ ଦାସ ଉପସ୍ଥିତ ଥିଲେ ।