ଏଏପି ସରକାରଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଛି ଭାଜପା

ନୂଆଦିଲ୍ଲୀ, ୨୨ା୬: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଙ୍ଗଳବାର ରାଜଧାନୀରେ ଶାସକ ଆମ ଆଦମୀ ପାର୍ଟି (ଏଏପି) ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ବନ୍ଦ କରିବା ପାଇଁ ଭାରତୀୟ ଜନତା ପାର୍ଟି ମିଥ୍ୟା ଅଭିଯୋଗ କରିଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଉପରାଜ୍ୟପାଳ ବିନୟ କୁମାର ସାକସେନା ନିକଟରେ କରୋନା ମହାମାରୀ ସମୟରେ ଦିଲ୍ଲୀରେ ସାତୋଟି ଅସ୍ଥାୟୀ ଡାକ୍ତରଖାନା ନିର୍ମାଣରେ ଅନିୟମିତତା ଅଭିଯୋଗ ନେଇ ଯାଞ୍ଚ ପାଇଁ ମଞ୍ଜୁରୀ ଦେବାର କିଛି ଦିନ ପରେ ସିସୋଦିଆ ଏଭଳି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଆମେ ସମ୍ପୂର୍ଣ୍ଣ ସଚ୍ଚୋଟ ସରକାର ଏବଂ କୌଣସି ଅନୁସନ୍ଧାନକୁ ଆମେ ଭୟ କରୁନାହୁଁ। ବିଭିନ୍ନ କ୍ଷେତ୍ରରେ ଦିଲ୍ଲୀ ସରକାର କରୁଥିବା କାର୍ଯ୍ୟକୁ ବନ୍ଦ କରିବା ପାଇଁ ଭାଜପା ଏଭଳି ମିଥ୍ୟା ଅଭିଯୋଗ କରୁଛି। ଏକ ଗଣମାଧ୍ୟମ ସମ୍ମିଳନୀରେ ସେ କହିଛନ୍ତି ଯେ ଏହା ଏକ ପୁରୁଣା ଅଭିଯୋଗ ଏବଂ ଏହାକୁ ପୂର୍ବତନ ଉପରାଜ୍ୟପାଳ ଅନିଲ ବୈଜଲ ଖାରଜ କରିଦେଇଥିଲେ। ତେବେ ଏହି ଘଟଣାର ତଦନ୍ତକୁ ନୂତନ ରାଜ୍ୟପାଳ ଅନୁମୋଦନ କରିଛନ୍ତି। ସିସୋଦିଆ ସାକସେନାଙ୍କୁ ଭାଜପାର ଅଭିଯୋଗକୁ ଅଣଦେଖା କରିବାକୁ ଅନୁରୋଧ କରିଛନ୍ତି। ସିସୋଦିଆ କହିଛନ୍ତି ଯେ ଦୟାକରି ଧାର୍ଯ୍ୟ ପ୍ରକ୍ରିୟା ଅନୁସରଣ କରନ୍ତୁ, କିନ୍ତୁ ସରକାରଙ୍କ କାର୍ଯ୍ୟରେ ବାଧା ଦିଅନ୍ତୁ ନାହିଁ।
ଭାଜପା ନେତା ତଥା ଉତ୍ତର-ପୂର୍ବ ଦିଲ୍ଲୀର ସାଂସଦ ମନୋଜ ତିୱାରୀ ଅଭିଯୋଗ କରିଛନ୍ତି ଯେ ସାତୋଟି ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ସରକାର ୧,୨୧୬ କୋଟି ଟଙ୍କାର ଟେଣ୍ଡର ଅନୁମୋଦନ କରିଛନ୍ତି। ଯାହା ପରେ ୧,୨୫୬ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା।