ଭାଜପାରେ ଗୋଷ୍ଠୀ ସଂଘର୍ଷ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ଦିଗପହଣ୍ଡି,୨୪।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଚାଲିଥିବା ଠିକା କାମକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ବିବାଦ ଗତ ୫ ତାରିଖ ସକାଳେ ହିଂସାକାଣ୍ଡରେ ପରିଣତ ହୋଇଥିଲା। ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ଉଭୟ ଗୋଷ୍ଠୀର ଏକାଧିକ ବ୍ୟକ୍ତି ଆହାତ ହୋଇଥିଲେ। ଏହି ଘଟଣାର ମାଷ୍ଟର ମାଇଣ୍ଡ ମନୋଜ କୁମାର ସାହୁଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସୋମବାର ଅପରାହ୍ନରେ ସରପଞ୍ଚ ପ୍ରିୟଙ୍କା ନାୟକ ଏବଂ ସମିତି ସଭ୍ୟ ସମୀର ଦଳ ବେହେରାଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ମହିଳା ପୁରୁଷ କେ.ନୂଆଗାଁ ଥାନାରେ ପହଞ୍ଚି ମୁଖ୍ୟ ଫାଟକରେ ତାଲା ପକାଇବା ସହ ଥାନା ଘେରାଉ କରିଥିଲେ। ପରେ ପୋଲିସ ଟିମ ବୁଝାସୁଝା କରିବା ପରେ ଉତ୍ତେଜିତ ଲୋକେ ଫାଟକରୁ ତାଲା ଖୋଲି ବ୍ରହ୍ମପୁର ଏସପି ଡା. ଶ୍ରବଣ ବିବେକ ଏମ ଏଠାରେ ପହଞ୍ଚି ଆଲୋଚନା କରିବା ଦାବିରେ ଲୋକେ ବିଳମ୍ବିତ ସନ୍ଧ୍ୟା ଯାଏ ଫାଟକ ସମ୍ମୁଖରେ ଧାରଣାରେ ବସି ରହିଥିଲେ। ଉଭୟପକ୍ଷଙ୍କ ଏତଲା କ୍ରମେ କେ.ନୂଆଗାଁ ଆଇଆଇସି କିଶୋର କୁମାର ସାମଲ ଥାନା ମାମଲା ନଂ.୩୮୩/୨୫ ଏବଂ ୩୮୪/୨୫ ଅନୁଯାୟୀ ପୃଥକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇବା ସହ ଏହି ଘଟଣାରେ ସମ୍ପୃକ୍ତ ସରପଞ୍ଚ ପ୍ରିୟଙ୍କା ନାୟକଙ୍କ ସ୍ବାମୀ ଶ୍ୟାମ ନାୟକ ଏବଂ ତାଙ୍କ ବିପକ୍ଷ ଗୋଷ୍ଠୀର କାଳୁ ଗୌଡ଼ଙ୍କୁ ଗତ ୧୩ ତାରିଖରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମନୋଜ ସୋମବାର ସକାଳେ ସହଦେବ ଟିକରପଡ଼ା ଗ୍ରାମକୁ ଆସିଥିଲେ ମଧ୍ୟ ତାଙ୍କୁ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ତାଙ୍କୁ ପୋଲିସ ଗିରଫ କରୁନଥବା ସରପଞ୍ଚ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଆଇଆଇସି କିଶୋର କୁମାର ସାମଲଙ୍କ ଅନୁପସ୍ଥିତିରେ ଦାୟିତ୍ୱରେ ଥିବା ଜୟନାଥ ପ୍ରଧାନ ଉତ୍ତେଜିତ ଗ୍ରାମବାସୀଙ୍କ ସହ କଥାବାର୍ତ୍ତା ହୋଇ ଖୁବଶୀଘ୍ର ସମ୍ପୃକ୍ତ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବାର ପ୍ରତିଶ୍ରୁତି ଦେବା ପରେ ସେମାନେ ଫେରିଥିବା ଜଣାପଡ଼ିଛି। ଏନେଇ ଆଇଆଇସିଙ୍କୁ ଯୋଗାଯୋଗ କରିବାରେ ମନୋଜ ସାହୁ ହାଇକୋର୍ଟଙ୍କ ଅନ୍ତରୀଣ ଜାମିନରେ ଥିବାରୁ ତାଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି କହିଛନ୍ତି।

 

Dharitri – The Largest & Most Trusted Odia Daily