ଛତ୍ରପୁର,୧ା୯(ଦିଲୀପ ସାମଲ): ଗଞ୍ଜାମ ଜିଲାରେ ସାର ଅଭାବ ଏବଂ କୃଷକମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଜିଲାର ବହୁ ପୂର୍ବତନ ବିଧାୟକ ଏବଂ ନେତାମାନେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ଅତିରିକ୍ତ ଜିଲାପାଳ ସୁନୀଲ କେର୍କେଟାଙ୍କୁ ପ୍ରଦାନ କରିଥିଲେ l
ଚାଷୀଙ୍କ ପ୍ରତି ଅନ୍ୟାୟକୁ ବିଜେଡି କେବେ ବି ସହ୍ୟ କରିପାରିବ ନାହିଁ ବୋଲି ନେତାମାନେ କହିଥିଲେ। ଚଳିତ ଖରିଫ ଋତୁରେ ଚାଷୀ ପର୍ଯ୍ୟାପ୍ତ ପରିମାଣରେ ୟୁରିଆ ଓ ଅନ୍ୟାନ୍ୟ ସାର ପାଇପାରୁନାହାନ୍ତି। ଚାଷୀ ପଞ୍ଜୀକରଣ ଜଟିଳ ପ୍ରକ୍ରିୟା ଏବଂ ପଞ୍ଜୀକରଣ ନିମନ୍ତେ କମ ଅବଧି ମିଳିଥିବାରୁ ଅନେକ ଯୋଗ୍ୟ ଚାଷୀ ଏଥିରୁ ବଞ୍ଚିତ ହୋଇଛନ୍ତି।
ଗତବର୍ଷ ଖରିଫ ଧାନ ଅମଳ ସମୟର ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳି ପାରିନାହିଁ। ଅନ୍ୟପକ୍ଷେ ନିଅଣ୍ଟିଆ ବର୍ଷା ବେଳେ ଜଳ ସେଚନର ସୁବିଧା କରାଯାଉ ନ ଥିବା ନେଇ ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି। ଏ ସମସ୍ତ ସମସ୍ୟାର ସମାଧାନ ଲାଗି ସେମାନେ ଦାବି କରିଛନ୍ତି।
ଦାବିପତ୍ର ପ୍ରଦାନ ବେଳେ ପୂର୍ବତନ ଏମ୍ପି ଚନ୍ଦ୍ର ଶେଖର ସାହୁ, ବିଜେଡି ରାଜ୍ୟ ସମ୍ପାଦକ ଭୃଗୁ ବକ୍ସିପାତ୍ର, ପୂର୍ବତନ ବିଧାୟକ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସୁବାଷ ଚନ୍ଦ୍ର ବେହେରା, ଲତିକା ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ସୂର୍ଯ୍ୟମଣି ବୈଦ୍ୟ, ମଞ୍ଜୁଳା ସ୍ବାଇଁ, ଶ୍ରୀକାନ୍ତ ସାହୁ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା ଓ କୈଳାଶ ରଣା, ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ଉପାଧ୍ୟକ୍ଷା ରାଜେଶ୍ୱରୀ ଦୋରା, ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତାଙ୍କ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ଶ୍ରୀରୁପ ଦେବ ପ୍ରମୁଖଙ୍କ ସମେତ ବହୁ ନେତା,କର୍ମୀ ଉପସ୍ଥିତ ଥିଲେ।
(((((ଫଟୋ)))