ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା ବିଜେଡି ପକ୍ଷରୁ ଭବାନୀପାଟଣା ବିଜୁ କଲ୍ୟାଣ ମଣ୍ଡପଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବୈଠକ ପୂର୍ବରୁ ଭବାନୀପାଟଣା ମେଡିକାଲ ଛକଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇଥିଲେ। ସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଲୋକଙ୍କ ପାଇଁ କରିଥିବା ଅବଦାନ ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ କାର୍ଯ୍ୟକ୍ରମ ଓ ଭାଜପା ସରକାରର ପ୍ରତିଶ୍ରୁତି ପାଳନରେ ବିଫଳତାକୁ ଆଗାମୀ ଦିନରେ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗାଁକୁ ଯାଇ ସଭାସମିତି ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ବିଜେଡି ସରକାର ସମୟରେ ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଶିଳ୍ପ ଓ ଗମନାଗମନ କ୍ଷେତ୍ରରେ ଓଡ଼ିଶାରେ ଅନେକ ବିକାଶ ହୋଇଛି ବୋଲି ବିଜେଡି ନେତା ଭବାନୀ ଶଙ୍କର ମିଶ୍ର କହିଛନ୍ତି। ବିରୋଧୀ ଦଳ ଭାବରେ ସାଧାରଣ ଲୋକଙ୍କ ସମସ୍ୟା ଯଥା ମଣ୍ଡିରେ ଧାନ ନ ଉଠିବା, ଟାଟା ପାୱାର ଦ୍ବାରା ଅତିରିକ୍ତ ସିକ୍ୟୁରିଟି ଆଦାୟ କରି ଖାଉଟିମାନଙ୍କୁ ଲୁଟ କରିବା, ମହିଳା ଓ ଶିଶୁ ନର୍ଯାତନା, କେନ୍ଦ୍ରୀୟ ଅବହେଳା, କଳାହାଣ୍ଡି ଜିଲାର ତୁର୍କେଲ ତେଲ ନଦୀ ଉପରେ ବ୍ରିଜ ନିର୍ମାଣ ଆଦି ପ୍ରସଙ୍ଗରେ ଜିଲା ବିଜେଡି ଲଢେଇ କରିବ ବୋଲି ନିଷ୍ପତ୍ତି ହୋଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଭାରପ୍ରାପ୍ତ ନଗରପାଳ ବିଷ୍ଣୁ ପ୍ରଧାନ, ଜିତେନ୍ଦ୍ର ମହାନ୍ତି, ପ୍ରଦିପ ମୁଣ୍ଡ, ଜାକୀର ହୁସେନ, ଟିକେଲାଲ ସାହୁ, ସାରଦା ପ୍ରସନ୍ନ ସ୍ବାଇଁ, ଧର୍ମେନ୍ଦ୍ର ନାଏକ, ମହିଳା ସଭାନେତ୍ରୀ ଲଳିତା ନାଏକ, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଛାତ୍ର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ଯୁବନେତା ମନିନ୍ଦ୍ର ମହାନ୍ତି, ପୂର୍ବତନ ପୋରାଧ୍ୟକ୍ଷ ସଂଯୁକ୍ତା ବେହେରା, ଟାଉନ ସଭାପତି ଧବଳେଶ୍ୱର ମହାପାତ୍ର, ପୀତବାସ ବେହେରା ପ୍ରମୁଖ ଯୋଗଦେଇଥିଲେ।

Dharitri – Odisha’s No.1 Odia Daily