ପ୍ରଚାର ମଇଦାନକୁ ଓହ୍ଲାଇଲା ବିଜେଡି: ନୂଆପଡ଼ାରେ ସ୍ନେହାଙ୍ଗିନୀଙ୍କ ଦବ୍‌ଦବା

ନୂଆପଡ଼ା, ୧୮।୧୦ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନରେ ଉଭୟ ଭାଜପା ଓ କଂଗ୍ରେସ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିବାବେଳେ ବିଜେଡି ନିର୍ବାଚନୀ ମଇଦାନକୁ ଓହ୍ଲାଇ ନ ଥିଲା। ଶନିବାର ବିଜେଡି ପ୍ରଚାର କାର୍ଯ୍ୟ ଆରମ୍ଭ କରିଛି। ବିଜେଡି ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ ଛୁରିଆ ନୂଆପଡ଼ା ଆସି ଶକ୍ତି ପ୍ରଦର୍ଶନ କରିଛନ୍ତି। ପ୍ରଥମେ ପୂର୍ବତନମନ୍ତ୍ରୀ ସ୍ବର୍ଗତ ଘାସିରାମ ମାଝିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ନୂଆପଡ଼ା ଏକତା ଛକଠାରୁ ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କ ସହ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଖରିଆର ରୋଡ ପର୍ଯ୍ୟନ୍ତ ଯାଇଥିଲେ, ସେଠରେ ତାଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା । ବିଜେଡି ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ କହିଥିଲେ, ତିନି ପ୍ରମୁଖ ମୁଦ୍ଦା ନେଇ ନୂଆପଡା ଉପନିର୍ବାଚନରେ ପ୍ରାର୍ଥୀ ହୋଇଆସିଛି। ପ୍ରଥମେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁ ଓ ସ୍ବର୍ଗତ ଘାସିରାମ ମାଝୀଙ୍କ ଆଶୀର୍ବାଦ ନେଇ ସମସ୍ତ ନୂଆପଡ଼ାବାସୀଙ୍କ ଆଶୀର୍ବାଦ ଭିକ୍ଷା କରି ସେବା କରିବାର ସୁଯୋଗ ମାଗୁଛି। ନୂଆପଡାବାସୀଙ୍କ ପାଇଁ କାମ କରିବେ ଓ ଭାଜପା ସରକାରଙ୍କ ଅପାରଗତା ନାରୀ ସୁରକ୍ଷାରେ ବିଫଳତା ନେଇ ନାରୀନେତ୍ରୀ ହୋଇ ଜନତାଙ୍କ ପାଖକୁ ଯିବା ପାଇଁ ଚାହୁଛନ୍ତି ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ପୂର୍ବରୁ ନୂଆପଡ଼ାରେ ବିଜେଡି ରହି ବିକାଶ ପଥକୁ ଆଗେଇ ନେଇଛି। ଉପନିର୍ବାଚନରେ ସେ ବିଜୟୀ ହେଲେ ଅଧୁରା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ସବୁବେଳେ ଜିଲାର ସମସ୍ୟା ଉପରେ ଗୁରୁତ୍ୱ ଦେଇ ବିକାଶ ଧାରାକୁ ଆଗେଇ ନେବେ ବୋଲି କହିଛନ୍ତି। ଏହି ସମୟରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲା ସଭାପତି ଅବନୀ ରଞ୍ଜନୀ ଯୋଶୀଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ କର୍ମୀ ସାମିଲ ହୋଇଥିଲେ।

 

Dharitri – Odisha’s No.1, Most Trusted Odia Daily