ଭୁବନେଶ୍ୱର/ନୂଆଦିଲ୍ଲୀ,୮।୮: ଉପରାଷ୍ଟ୍ରପତି ନିର୍ବାଚନ ନେଇ ବିଜେଡି ନେତା ମହେଶ ସାହୁ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, NDA ସମର୍ଥିତ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବ ନାହିଁ । ଓଡ଼ିଶାର ଝିଅ ବୋଲି ରାଷ୍ଟ୍ରପତି ପାର୍ଥୀଙ୍କୁ ସମର୍ଥନ କରିଥିଲୁ। ଏବେ ସେ ପରିସ୍ଥିତି ନାହିଁ, ସମ୍ପୂର୍ଣ୍ଣ ବିରୋଧ ହେବ ବୋଲି ମହେଶ କହିଛନ୍ତି।
ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନକରଙ୍କ ଇସ୍ତଫା ପରେ ଜାତୀୟ ଓ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ଦେଖାଦେଇଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ସ୍ଥିର ହୋଇଛି। ଧନକରଙ୍କ ଇସ୍ତଫାକୁ ନେଇ ଜାତୀୟସ୍ତରରେ ଅନେକ କଳ୍ପନା ଜଳ୍ପନା ଚାଲିଛି। ସେ ତାଙ୍କ ଇସ୍ତଫା ପତ୍ରରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ସନ୍ଦେହ କରୁଛନ୍ତି। ଧନକର ଦିନରେ ସ୍ବାଭାବିକ ଭାବେ ରାଜ୍ୟ ସଭା କାର୍ଯ୍ୟ ସାରିବା ପରେ ରାତିରେ ହଠାତ୍ ଇସ୍ତଫା ଘୋଷଣା କରିଥିବାରୁ ଏହା ପଛରେ ଭାଜପାର ନିଶ୍ଚିତ କିଛି ଯୋଜନା ରହିଥିବା ବିରୋଧୀ ଆକଳନ କରୁଛନ୍ତି। ଏ ନେଇ ସେମାନେ ଭାଜପାର ଆଭିମୁଖ୍ୟ ଉପରେ ଅନେକ ପ୍ରଶ୍ନ ମଧ୍ୟ ଉଠାଉଛନ୍ତି । ଏହାକୁ ଅନୁଧ୍ୟାନକଲେ ଆସନ୍ତା ଉପରାଷ୍ଟ୍ରପତି ନିର୍ବାଚନ ସହମତି ଭିତ୍ତିରେ ହେବା ନେଇ ସନ୍ଦେହ ରହିଛି। ଯଦି ‘ଇଣ୍ଡି ମେଣ୍ଟ’ ଉପରାଷ୍ଟ୍ରପତି ପାଇଁ ପ୍ରାର୍ଥୀ ଦିଏ, ତେବେ ଓଡ଼ିଶାର ବିରୋଧୀ ଦଳ ବିଜେଡି କେଉଁ ଆଭିମୁଖ୍ୟ ରଖିବ, ତାହାକୁ ନେଇ ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ବିଜେଡି ଏହା ଉପରେ ପ୍ରତିକ୍ରିୟା ଦେଇଛି।