ବରଗଡ଼,୧୫।୧୨(ପ୍ରେମାନନ୍ଦ ଖମାରୀ)- ଧାନ ବିକ୍ରି ପଞ୍ଜୀକରଣ ଦାବିରେ ଗତ ୧୦ତାରିଖରୁ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଧାରଣା ଚାଲିଛି। ଚାଷୀମାନେ ନିଜର ହକ ଦାବିରେ ଶୀତ, କାକର ସହି ଅହୋରାତ୍ର ଧାରଣାରେ ବସିଛନ୍ତି। ଧାରଣାକୁ ମଧ୍ୟ ବିଭିନ୍ନ ସଂଗଠନର ସମର୍ଥନ ବଢି ଚାଲିଛି। ଶନିବାର ବରଗଡ଼ ଜିଲା ବିଜେଡି ଧାରଣାସ୍ଥଳକୁ ପହଞ୍ଚି ସମର୍ଥନ ଘୋଷଣା କରିଥିଲା। ଏହା ସହିତ ବିଜେଡି ପକ୍ଷରୁ ଚାଷୀଙ୍କ ଦାବି ସମୂହ ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଚାଷୀଙ୍କ ଦାବିକୁ ଅଣଦେଖା କରାଗଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ବିଜେଡି ଚେତାବନୀ ଦେଇଛି।
ଜିଲା ବିଜେଡି ସଭାପତି ସୁଶାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରୀତା ସାହୁ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ବରଗଡ଼ ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀଙ୍କ ସମେତ ଅନେକ ବିଜେଡି ନେତୃବୃନ୍ଦ ଉପସ୍ଥିତ ଥିଲେ। ଚାଷୀଙ୍କୁ ଗିରଫଦାରୀ ଏବଂ ଚାଷୀଙ୍କ ଅନୁପସ୍ଥିତିରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ କରାଯିବାକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଥିଲା। ଚାଷୀଙ୍କ ସ୍ବାର୍ଥ ପାଇଁ ରାଜରାସ୍ତାଠାରୁ ଆରମ୍ଭ କରି ରାଜଧାନୀ, ବିଧାନସଭା ପର୍ଯ୍ୟନ୍ତ ବିଜେଡ଼ି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲା। ପ୍ରକାଶ ଥାଉକି, ବରଗଡ଼ ଜିଲାର ୫ହଜାରରୁ ଉଦ୍ଧର୍ବ ଚାଷୀ ଏପର୍ଯ୍ୟନ୍ତ ଧାନ ବିକ୍ରୀ ପଞ୍ଜୀକରଣରୁ ବାଦ ପଡିଛନ୍ତି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ଲାଗି ରହିଛି।