ନୂଆପଡ଼ା,୩୧ା୩ (ମକାରୁ ବେମାଲ):ନୂଆପଡା ସହରର ମାତାଗୁଡି ପଡାସ୍ଥିତ ଏକ ବେଲଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ସେ ହେଲେ ପୂର୍ବତନ ଯୁବ ବିଜୁ ଜନତା ଦଳ ଜିଲା ସଭାପତି ହରିଶ୍ଚନ୍ଦ୍ର ପଣ୍ଡାଙ୍କ ସ୍ତ୍ରୀ ପୂଜା ପଣ୍ଡା(୩୫)। ନୂଆପଡା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ସୋମବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ସୂଚନା ଅନୁଯାୟୀ ରବିବାର ରାତି ପ୍ରାୟ ୮ଟା ସମୟରେ ପୂଜା ବାହାରକୁ ଯାଇ ଘରକୁ ଫେରି ନଥିଲେ। ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିବା ସମୟରେ ଘର ସମ୍ମୁଖରେ ଏକ ବେଲ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ରାତି ପ୍ରାୟ ୯ଟା ସମୟରେ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ରଣଜିତ ନାୟକ ଓ ସଦର ଥାନା ଅଧିକାରୀ ଗଙ୍ଗାଧର ମେହେର ପହଞ୍ଚତ୍ ମୃତଦେହ ଜବତ କରିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଝିଅର ବାପା ଘର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ଏ ନେଇ ନୂଆପଡା ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ମେହେର କହିଛନ୍ତି।