ଜେଲ ଗଲେ ବିଜେଡି ନେତା: କରୁଥିଲେ ଏହି କାମ

ନୟାଗଡ଼/ ରଣପୁର, ୧୫।୧୧ (ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ବେକାର ଯୁବକମାନଙ୍କୁ ବିଭିନ୍ନ ସରକାରୀ ସଂସ୍ଥାରେ ଚାକିରି କରାଇଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ରଣପୁର ପୋଲିସ ବିଜେଡି ନେତା ଆଲୋକ ପଟ୍ଟନାୟକ(୫୨)ଙ୍କୁ ଭୁବନେଶ୍ୱରରୁ ଗିରଫକରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ପରେ ଶୁକ୍ରବାର ଆଲୋକଙ୍କୁ ରଣପୁର ଉପକାରାଗାରକୁ ପଠାଇ ଦିଆଯାଇଛି।
ଅଭିଯୋଗ ଅନୁସାରେ ଫତେଗଡ ଥାନା ବାଇଗୁଣିଆ ଗଁାର ଆଲୋକ ପଟ୍ଟନାୟକ ଭୁବନେଶ୍ୱର ରସୁଲଗଡ଼ ବଜରଙ୍ଗବିହାର ଲେନ୍‌ ୨ ଚକେଇସିହାଣିରେ ରୁହନ୍ତି। ସେ ନିଜକୁ ବିଜେଡିର ଜଣେ ପ୍ରତିଷ୍ଠିତ ରାଜନେତା ବୋଲି ପରିଚୟ ଦେଇ ୫ରୁ ଊର୍ଦ୍ଧ୍ୱ ବର୍ଷ ହେଲା ରଣପୁର ନିର୍ବାଚନମଣ୍ଡଳୀରେ ବିଜେଡିର ସଙ୍ଗଠନ କରୁଥିଲେ। ବିଜେଡିର ବିଭିନ୍ନ ସଭା ସମିତିରେ ଆଲୋକ ପ୍ରମୁଖ ଭୂମିକା ନେଉଥିବା ଦେଖିବାକୁ ମିଳିଥିଲା। ୨୦୨୨ ବିଧାନସଭା ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହେଉଛନ୍ତି ବୋଲି ବିଭିନ୍ନ ସ୍ଥାନରେ ହୋର୍ଡିଂ, ପୋଷ୍ଟର ମାରିଥିଲେ। ହେଲେ ବିଧାୟକ ଟିକେଟ ସେ ପାଇ ନ ଥିଲେ। ଅପରପକ୍ଷେ ରାଜନୀତି ସହ ସେ ସମାଜସେବା ନଁାରେ ଯୁବକମାନଙ୍କୁ ସରକାରୀ ସଂସ୍ଥାରେ ଚାକିରି କରାଇଦେବା କହି ଟଙ୍କା ନେଇଥିଲେ। ହେଲେ ଯୁବକମାନେ ଚାକିରି ନ ପାଇବାରୁ ଆଲୋକଙ୍କ ନଁାରେ ଠକେଇ ଅଭିଯୋଗ ଆଣିଥିଲା। ଡମସାହି ଗଁାର ଭାଗୀରଥି ପଲେଇଙ୍କ ଅଭିଯୋଗକ୍ରମେ ରଣପୁର ପୋଲିସ ଆଲୋକ ଓ ତାଙ୍କ ସ୍ତ୍ରୀ ଅନସୂୟାଙ୍କ ନଁାରେ ଭାରତୀୟ ନ୍ୟାୟ ସଂହିତା ଦଫା ୨୯୬, ୨୧୮(୨), ୩୧୮(୩), ୩୧୮(୪), ୩୫୧(୩), ୬୧(୨)ରେ ନଂ. ୩୪୦/୨୫ରେ ମାମଲା ରୁଜୁକରି ତଦନ୍ତ କରିଥିଲା। ଭାଗୀରଥିଙ୍କ ଭଣଜାକୁ ଅଗ୍ନଶିମ ବିଭାଗର ଡ୍ରାଇଭର ନିଯୁକ୍ତି କରାଇଦେବା କହି ଆଲୋକ ୧୦ ଲକ୍ଷ ଟଙ୍କା ମାଗିଥିଲେ। କଥା ଅନୁସାରେ, ଆଲୋକ ଓ ତାଙ୍କ ସ୍ତ୍ରୀଙ୍କ ନଁାରେ ଭାଗୀରଥି ବିଭିନ୍ନ କିସ୍ତିରେ ଫୋନ ପେ ଆକାଉଣ୍ଟରେ ୭ଲକ୍ଷ ୨୦ ହଜାର ଦେଇଥିଲେ। ହେଲେ ଆଲୋକ ଚାକିରି ବ୍ୟବସ୍ଥା କରାଇ ପାରି ନ ଥିଲେ କି ଟଙ୍କା ଫେରାଇ ନ ଥିଲେ। ଶେଷରେ ଭାଗୀରଥି ଗତ ୧୦ ତାରିଖରେ ରଣପୁର ଥାନାରେ ନ୍ୟାୟ ପାଇଁ ଅଭିଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

 

Share