ଝାଡାବାନ୍ତି ପ୍ରଭାବିତ ଅଞ୍ଚଳରେ ବିଜେଡ଼ି, କଂଗ୍ରେସ ଟିମ୍‌: ସରକାରୀ ବିଫଳତା ସହ ଡାକ୍ତର ପଦବୀ ଖାଲି ନେଇ…

ଦିଗପହଣ୍ଡି/ପାଟପୁର,୨୪ା୭(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ସାନଖେମୁଣ୍ଡି ବ୍ଲକ୍‌ ଟି.ଗୋବିନ୍ଦପୁର ପଞ୍ଚାୟତ ଦାମପୁର ଗାଁରେ ଝାଡାବାନ୍ତିରେ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପାଖରେ ଗୁରୁବାର ରାଜ୍ୟ ବିଜେଡି ନେତୃମଣ୍ଡଳୀ ପହଞ୍ଚି ଆଶ୍ୱାସନା ଦେଇଥିଲେ। ପରେ ସେମାନେ ଗ୍ରାମବାସୀଙ୍କ ସହ ଆଲୋଚନା କରିବାସହ ଉପସ୍ଥିତ ଜିଲା ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ଗ୍ରାମ ନିକଟସ୍ଥ ପୋଡ଼ାମାରି ଓ ଡେଙ୍ଗାଓସ୍ତା ଗ୍ରାମ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘବର୍ଷ ହେଲା ଡାକ୍ତର ଓ ଫାର୍ମାସିଷ୍ଟ ପଦବୀ ଖାଲି ପଡିଥିବାରୁ ସରକାରୀ ବିଫଳତାକୁ ସମାଲୋଚନା କରିଥିଲେ। ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଖବର ପାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ଗଞ୍ଜାମ ଜିଲା ବିଜେଡିର ସମସ୍ତ ନେତୃ ମଣ୍ଡଳୀ ଗ୍ରାମରେ ପହଞ୍ଚି ୩ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ୧୦ ହଜାର ଲେଖାଏଁ ଏବଂ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ପର ିବାରଙ୍କୁ ୫ ହଜାର ଲେଖାଏଁ ସହାୟତା ପ୍ରଦାନ କରିଥିଲେ। ବିଜେଡି ଜିଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ଏମପି ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ଲତିକା ପ୍ରଧାନ, ରଞ୍ଜିତା ସାହୁ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଶ୍ରୀକାନ୍ତ ସାହୁ, ସୁବାସ ବେହେରା, ସୁବାସ ମହାରଣା, ଯୋଗେନ୍ଦ୍ର ସ୍ବାଇଁ, ଦନାର୍ଦ୍ଦନ ପୋଲାଇ, ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନ ପ୍ରମୁଖ ଦାମପୁରରେ ପହଞ୍ଚିଥିବା ବେଳେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଝାଡା ବାନ୍ତିରେ ପ୍ରଭାବିତ ପରିବାରଙ୍କୁ ଭେଟି ୩ ଜଣ ମୃତକଙ୍କ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଥିଲେ। ଚିକିତ୍ସିତ ବ୍ୟକ୍ତିଙ୍କୁ ମଧ୍ୟ ସହାୟତା ପ୍ରଦାନ କରିଥିଲେ। ଶୁଦ୍ଧି କ୍ରିୟା ପାଇଁ ଆବଶ୍ୟକ ଲୁଗା, ଚାଉଳ, ପନିପରିବା, ରାସନ୍‌ ସାମଗ୍ରୀ ମଧ୍ୟ ଯୋଗାଇ ଦେବା ପାଇଁ ଉପସ୍ଥିତ ଦଳୀୟ ନେତୃବୃନ୍ଦଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକଙ୍କ ସହ ବ୍ଲକ କଂଗ୍ରେସ କମିଟି ସଭାପତି ବାବୁଲା ଦୋରା, ନିରାକାର ପ୍ରଧାନ, ମୁକୁନ୍ଦ ବରାଡ, ରୋହିତ ଖୁଣ୍ଟିଆଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ସେହିପରି ଭାଜପା ଘୁମୁସର ଜିଲା ସଭାପତି ବିଜୟ ସ୍ବାଇଁ ଦଳୀୟ ନେତୃବୃନ୍ଦଙ୍କ ସହ ଦାମପୁର ଗାଁରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ପ୍ରଭାବିତ ପରିବାରଙ୍କୁ ଭେଟି ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଜଣାପଡିଛି।

Share