ସତ୍ୟବାଦୀ ପଞ୍ଚାୟତ ସମିତି ବୈଠକରେ ବିଜେଡି-ଭାଜପା ମୁହାଁମୁହିଁ

ସାକ୍ଷୀଗୋପାଳ,୩।୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ପଞ୍ଚାୟତ ସମିତିର ସପ୍ତମ ଅଧିବେଶନ ସୋମବାର ଅନୁଷ୍ଠିତ ହୋଇଥିଲା। ଆରମ୍ଭରୁ ସମିତି ଅଧ୍ୟକ୍ଷ ସୁନିଲ ପଣ୍ଡା ବୈଠକ ସଭାପତିତ୍ୱ କରିଥିଲେ। ପୂର୍ବ ବିବରଣୀ ପଠନରେ ଅନାଲୋଚିତ ପ୍ରସ୍ତାବ ସ୍ଥାନିତ କରାଯିବାକୁ ବିରୋଧ କରି ଭାଜପା ସମର୍ଥିତ ସଦସ୍ୟମାନେ ହୋହାଲ୍ଲା କରିଥିଲେ।

ଏପରିକି ପୂର୍ବ ବୈଠକରେ ବିବରଣୀ ନକଲ ସଦସ୍ୟ ମାନଙ୍କୁ ଦିଆ ଯାଇନଥିବା ଅଭିଯୋଗ କରାଯାଇଥିଲା। କ୍ରମେ ବିବାଦ ଜୋର ଧରିବାରୁ ବୈଠକରେ ପ୍ରତିପକ୍ଷଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସହ ଅଶାଳୀନ ଭାଷାରେ ଗାଳିଗୁଲଜ ଓ ଧସ୍ତାଧସ୍ତି ଚାଲିଥିଲା। ଏହାକୁ ନେଇ ସୁନିଲ ପଣ୍ଡା ଓ ବିଜେଡ଼ି ସମର୍ଥିତ ସଦସ୍ୟମାନେ ସଭାଛାଡି ବାହାରକୁ ଚାଲିଯାଇଥିଲେ। ଏହାପରେ ଉପାଧକ୍ଷା ନିବେଦିତା ପାତ୍ର ଙ୍କ ଅଧ୍ୟକ୍ଷତାରେ ସଭା ଆରମ୍ଭ ହୋଇଥଲା। ଫଳରେ ସଭା ତ୍ୟାଗ କରିଥିବା ସଦସ୍ୟ ମାନେ ସଭାଗୃହ ମଧ୍ୟକୁ ଯାଇ ବୈଠକ ଅଗଣତାନ୍ତ୍ରିକ ଭାବେ କରାଯାଉଛି ବୋଲି କହିବା ସହ ଉପାଧ୍ୟକ୍ଷାଙ୍କୁ ସଭା ଛିଡିବାକୁ କହିଥିଲେ। ମାତ୍ର ଉପାଧ୍ୟକ୍ଷା ସଭା ଛାଡିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ।

ଏହାପରେ ସଭା ଚାଲିଥିଲା ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରଯାଇଥିଲା। ବୈଠକ ଛାଡି ଆସିଥିବା ସଦସ୍ୟମାନେ ଗୃହ ଭିତରକୁ ପଶିବା ପାଇଁ ଉଦ୍ୟମ କରିବାରୁ ପୋଲିସ ଗଣ୍ଡଗୋଳ ଏଡାଇବା ନିମନ୍ତେ ହସ୍ତକ୍ଷେପ କରିଥିଲେ। ଭିତରୁ କବାଟ ବନ୍ଦକରି ବେଆଇନ ଭାବେ ବୈଠକ କରିଥିବା ପ୍ରତିବାଦରେ ଅଧ୍ୟକ୍ଷଙ୍କ ସହ ଅନ୍ୟ ସଦସ୍ୟ ମାନେ ବିଡ଼ିଓଙ୍କ କାର୍ଯ୍ୟାଳୟରେ ଧାରଣା ଦେଇ ବସିବା ସହ ବିଡ଼ିଓଙ୍କ ଗାଡ଼ି ଅଟକାଇ ଥିଲେ।

ସେପଟେ ବୈଠକରେ ଯୋଗଦେଇ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଅଞ୍ଚଳ ବାସୀଙ୍କ ଉନ୍ନୟନମୂଳକ କାମରେ ବିରୋଧ କରୁଥିବା ଜନ ପ୍ରତିନିଧିଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ବୈଠକରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଜିଲା ପରିଷଦ ସଭ୍ୟା ବିଷ୍ଣୁ ପ୍ରିୟା ବରାଳ, ସଭ୍ୟ ରତିକାନ୍ତ ମିଶ୍ର, ବିଡ଼ିଓ ଦେବାଶିଷ ନାୟକ, ପିପିଲି ଏସଡିପିଓ ଦେବାଶିସ ମିଶ୍ର, ସତ୍ୟବାଦୀ ଆଇଆଇସି ବିଜୟ କେତନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।

Share