ନୂଆଦିଲ୍ଲୀ,୨।୧: କେରଳର ଆଲପୁଜା ଏବଂ କୋଟାୟମ ସମେତ କିଛି ଅଞ୍ଚଳରେ ବାର୍ଡ ଫ୍ଲୁ ବା ପକ୍ଷୀ ଜ୍ୱର ମାମଲା ଚିହ୍ନଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପଡୋଶୀ ରାଜ୍ୟ ତାମିଲନାଡୁରେ ସତର୍କତା ବଢ଼ାଇ ଦିଆଯାଇଛି। ରୋଗର ପ୍ରସାରକୁ ରୋକିବା ପାଇଁ ସୀମାନ୍ତ ଜିଲାଗୁଡ଼ିକରେ କଡା ନଜର ରଖାଯାଇଛି।
ତାମିଲନାଡୁ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କେରଳରୁ ଜିଲ୍ଲାକୁ ଜୀବନ୍ତ କୁକୁଡ଼ା, ଅଣ୍ଡା, କୁକୁଡ଼ା ବର୍ଜ୍ୟବସ୍ତୁ ଏବଂ ଅନ୍ୟାନ୍ୟ ସମ୍ବନ୍ଧୀୟ ଉତ୍ପାଦ ପରିବହନ ଉପରେ ଅସ୍ଥାୟୀ ଭାବେ ନିଷେଧାଦେଶ ଜାରି କରାଯାଇଛି।
ଦେଶର ବୃହତ୍ତମ ଅଣ୍ଡା ଉତ୍ପାଦନକାରୀ କେନ୍ଦ୍ରଗୁଡ଼ିକ ମଧ୍ୟରୁ ଅନ୍ୟତମ ନାମାକ୍କାଲ ଜିଲାରେ ଥିବା ପୋଲ୍ଟ୍ରି ଫାର୍ମଗୁଡ଼ିକରେ ବାୟୋସିକ୍ୟୁରିଟି ଏବଂ ନିରୀକ୍ଷଣ ବ୍ୟବସ୍ଥାକୁ କଡାକଡି କରାଯାଇଛି। ନାମାକ୍କାଲରେ ପ୍ରାୟ ୧,୫୦୦ କୁକୁଡ଼ା ଫାର୍ମ ଅଛି।
ଏହି ଫ୍ଲୁ କେବଳ କୁକୁଡ଼ା, ବତକ ଏବଂ ଟର୍କି ଭଳି ଗୃହପାଳିତ ପକ୍ଷୀଙ୍କୁ ନୁହେଁ, ବରଂ ଜଙ୍ଗଲୀ ପକ୍ଷୀମାନଙ୍କ ଦ୍ୱାରା ମଧ୍ୟ ବ୍ୟାପିଥାଏ। ଏହି ରୋଗ ମଣିଷକୁ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ସତର୍କ ରହିବା ଜରୁରୀ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ୨୦୦୩ ରୁ ଅଗଷ୍ଟ ୨୦୨୫ ମଧ୍ୟରେ ୨୫ ଟି ଦେଶରେ ମଣିଷଙ୍କ ଠାରେ ୯୯୦ ଟି ବାର୍ଡ ଫ୍ଲୁ ମାମଲା ଚିହ୍ନଟ ହୋଇଥିଲା, ଯେଉଁଥିରୁ ୪୭୫ ଜଣଙ୍କର ମୃତ୍ୟୁ ହୋଇଥିଲା, ଯାହାକି ଏକ ୪୮% ମୃତ୍ୟୁହାର ଦର୍ଶାଉଛି।
ବାର୍ଡ ଫ୍ଲୁ ହେଉଛି ଏକ ପ୍ରକାର ଇନଫ୍ଲୁଏଞ୍ଜା ଭୂତାଣୁ ଯାହା ପକ୍ଷୀ ଓ ପଶୁଙ୍କ ଠାରେ ବ୍ୟାପିଥାଏ। ସଂକ୍ରମିତ ପ୍ରାଣୀଙ୍କ ନିକଟତର ହେଲେ ମଣିଷକୁ ଏହା ବ୍ୟାପିବାର ସମ୍ଭାବନା ଥାଏ, କିନ୍ତୁ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିବା ବିରଳ।
ମୁଖ୍ୟ ଲକ୍ଷଣ:
ଆଖି ନାଲି ପଡ଼ିବା
ଜ୍ୱର ଓ ଥକ୍କାପଣ
କାଶ, ଗଳା ଦରଜ
ମାଂସପେଶୀରେ ଯନ୍ତ୍ରଣା
ବାନ୍ତି ଓ ତରଳ ଝାଡ଼ା
ଶ୍ୱାସକ୍ରିୟାରେ କଷ୍ଟ