ବିଲ୍ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ ନ ବାହାରିବା ପାଇଁ କୁହାଯାଉଥିଲା। ସତରେ କ’ଣ ଏହା ପ୍ରବଳ ବର୍ଷାର କାରଣ? ରିଲ୍ ଏବଂ ଭିଡିଓ ଦ୍ୱାରା ଏହି ଗୁଜବରେ ଅଭିଯୋଗ କରାଯାଇଥିଲା ଯେ ରାସାୟନିକ ସ୍ପ୍ରେ କିମ୍ବା ‘କେମଟ୍ରେଲ’ ଯୋଗୁ ସାମ୍ପ୍ରତିକ ପ୍ରବଳ ବର୍ଷା ହୋଇଛି। ଯଦିଓ ଦାବିଟି ମିଥ୍ୟା, ତଥାପି ଏହା ବିଜ୍ଞାନର ଏକ ପ୍ରକୃତ କିନ୍ତୁ ପ୍ରାୟତଃ ଭୁଲ୍ ବୁଝାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଆକର୍ଷଣ କରିଛି, ଯାହାକୁ ବିଲ୍ ଗେଟ୍ସ ୨୦୦୭ ମସିହାରୁ ସମର୍ଥନ କରିଆସୁଛନ୍ତି। ଏହି ବିଷୟକୁ ଆଲୋଚନା କରିବା ପୂର୍ବରୁ ଆମକୁ ଅତୀତର କିଛି ଐତିହାସିକ ବିଷୟକୁ ଚର୍ଚ୍ଚା କରିବାକୁ ହେବ।
ଊନବିଂଶ ଶତାବ୍ଦୀର ଆରମ୍ଭରେ କିଭଳି ଶିଳ୍ପ ବିପ୍ଳବ ଚରମ ସୀମାରେ ପହଞ୍ଚତ୍ ବ୍ରିଟେନ୍ର ବାୟୁମଣ୍ଡଳକୁ ବର୍ଷତମାମ ଅନ୍ଧକାର କରି ରଖୁଥିଲା ତାହା ସେହି ସମୟର ପ୍ରସିଦ୍ଧ ଶିଳ୍ପବିରୋଧୀ ଚିନ୍ତନ ରଖୁଥିବା ଚିତ୍ରକର ଜେଏମ୍ଏମ୍ ଟରନର ତାଙ୍କର ଅନେକ ଚିତ୍ରରେ ପ୍ରକାଶ କରିଥିଲେ। ୧୯୯୧ରେ ଫିଲିପାଇନର ପିନାଟୁବ ଆଗ୍ନେୟଗିରି ହଠାତ୍ ବିସ୍ଫୋଟିତ ହୋଇ ଏତେ ପରିମାଣରେ ସଲ୍ଫର ଡାଇଅକ୍ସାଇଡ ବାୟୁମଣ୍ଡଳରେ ପ୍ରବେଶ କରାଇଲା ଯେ ଅନେକ ଦିନ ପର୍ଯ୍ୟନ୍ତ ଠିକ୍ ଭାବରେ ସୂର୍ଯ୍ୟକିରଣ ପୃଥିବୀ ଉପରେ ପହଞ୍ଚତ୍ ପାରିଲା ନାହିଁ।
ଫଳସ୍ବରୂପ ପୃଥିବୀର ତାପମାତ୍ରା ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ୦.୬ ଡିଗ୍ରୀ ସେଣ୍ଟିଗ୍ରେଡ କମିଯାଇଥିଲା। ଆଗ୍ନେୟ ଉଦ୍ଗିରଣ ଯୋଗୁ ବାୟୁମଣ୍ଡଳରେ ଥିବା ରାସାୟନିକ ଜଳକଣା ସହିତ ମିଶି ଆବରଣ ତିଆରି କରିବା ଫଳରେ କିଛି ପରିମାଣରେ ସୂର୍ଯ୍ୟକିରଣ ଆଂଶିକ ପ୍ରତିଫଳିତ ହୋଇ ପୃଥିବୀ ଉପରକୁ ଆସିବା ଯୋଗୁ ପୃଥିବୀର ତାପମାତ୍ରା କମିଯାଇଥିଲା। ଏହି ଘଟଣା ବୈଜ୍ଞାନିକ ଜଗତରେ ଆଲୋଡ଼ନ ସୃଷ୍ଟି କରି ବୈଷିକ ତାପମାତ୍ରା ନିୟନ୍ତ୍ରଣ ପାଇଁ ଏକ ବୈପ୍ଳବିକ ଚିନ୍ତାଧାରା ଆଣିଦେଲା। ଫଳରେ ଅନେକ ଦେଶର ବୈଜ୍ଞାନିକ ଯେଉଁମାନେ ବିଶ୍ୱ ତାପମାତ୍ରା ନିୟନ୍ତ୍ରଣ ପାଇଁ ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗମନ କମ୍ କରିବାପରି କଷ୍ଟସାଧ୍ୟ ଉପାୟ ପରିବର୍ତ୍ତେ ସୂର୍ଯ୍ୟକିରଣକୁ ସିଧାସଳଖ କୌଣସି ଉପାୟରେ ପ୍ରତିଫଳିତ କରି ପାରିଲେ ବୈଶ୍ୱିକ ତାପମାତ୍ରା ନିୟନ୍ତ୍ରଣ କରିହେବ ବୋଲି ବିଶ୍ୱାସ କଲେ। ଏହି ପ୍ରକ୍ରିୟାକୁ ସୋଲାର ଜିଓଇଞ୍ଜିନିୟରିଂ କିମ୍ବା ସନ୍ଡିମିଂ କୁହାଯାଏ। ସଲ୍ଫେଟ ଡାଇଅକ୍ସାଇଡ କିମ୍ବା ହାଇଡ୍ରୋଜେନ ସଲ୍ଫାଇଡ ଭଳି ରାସାୟନିକ ପଦାର୍ଥକୁ ଯଦି କୌଣସି ଉପାୟରେ ବାୟୁମଣ୍ଡଳର ଉପରି ଭାଗରେ ଛିଞ୍ଚି ଦିଆଯାଏ, ତା’ହେଲେ ଏହି ରାସାୟନିକଗୁଡିକ ଜଳକଣା ସହିତ ମିଶି ଠିକ୍ ଆଗ୍ନେୟ ଉଦ୍ଗିରଣ ଧୂଆଁ ଭଳି ସୂର୍ଯ୍ୟକିରଣକୁ ଆକାଶକୁ ପ୍ରତିଫଳିତ କରି ପୃଥିବୀର ତାପମାତ୍ରା କମ୍ କରିପାରିବ। ଏହି ପ୍ରକ୍ରିୟାରେ ବିମାନ କିମ୍ବା ବେଲୁନ ବ୍ୟବହାର କରି ଷ୍ଟ୍ରାଟୋସ୍ଫିଅରରେ ସଲ୍ଫେଟ ଡାଇଅକ୍ସାଇଡ, କ୍ୟାଲସିୟମ ଭଳି ରାସାୟନିକ ପଦାର୍ଥକୁ ଛିଞ୍ଚତ୍ଦିଆଯାଏ, ଯେଉଁଠି ଏହା ଜଳୀୟ ବାଷ୍ପ ସହିତ ମିଶି ଏକ ଭାସମାନ ମିଶ୍ରଣ ତିଆରି କରି ସୂର୍ଯ୍ୟକିରଣକୁ ପୁନର୍ବାର ମହାକାଶକୁ ପ୍ରତିଫଳିତ କରେ। ଆକଳନ ଅନୁସାରେ ମାତ୍ର ଏକ କିଲୋଗ୍ରାମ ସଲ୍ଫର ଡାଇଅକ୍ସାଇଡ ବାୟୁମଣ୍ଡଳ ଉପରିଭାଗରେ ଛିଞ୍ଚତ୍ଦେଲେ ଏହା ସଫଳତାର ସହିତ ଏକ ହଜାରରୁ ଅଧିକ ବର୍ଗ କିଲୋମିଟର ଅଞ୍ଚଳରେ ତାପମାତ୍ରା ପ୍ରଭାବିତ କରିପାରିବ। ଏହି ଉପାୟ ଫଳରେ କୌଣସି ଦେଶ ଉପରେ କାର୍ବନ ଉସର୍ଜନ କଟକଣା ନ ଲଗାଇ ସହଜରେ ଗ୍ଲୋବାଲ ୱାର୍ମିଂ ଲକ୍ଷ୍ୟ ପୂରଣ କରିହେବ ବୋଲି କୁହାଗଲା।
ବିଶ୍ୱର ଅନେକ ଗବେଷଣା ଅନୁଷ୍ଠାନରେ ବୈଜ୍ଞାନିକମାନେ ଏହା ଉପରେ କାମ କରିବାକୁ ଲାଗିଲେ। ୨୦୨୦ରେ ଅଧ୍ୟୟନରୁ ଜଣାପଡିଛି ବିଶ୍ୱ ତାପମାତ୍ରା ନିୟନ୍ତ୍ରଣ ଦୃଷ୍ଟିରୁ କାର୍ବନ ଉସର୍ଜନ ରୋକିବା ନିମନ୍ତେ ବର୍ଷକୁ ଏକ ଡିଗ୍ରୀ ତାପମାତ୍ରା କମାଇବା ପାଇଁ ପ୍ରାୟ ୧୮ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ସନ୍ଡିମିଂ ପ୍ରକ୍ରିୟା ଦ୍ୱାରା ଏହା ଅଧା ଖର୍ଚ୍ଚରେ କରାଯାଇପାରେ। ବାୟୁମଣ୍ଡଳର ଉପରିଭାଗରେ ସଲ୍ଫର କଣିକା ପ୍ରାକୃତିକ ଉପାୟରେ ଆଗ୍ନେୟଗିରିରୁ ବାହାରୁଥିବା ଧୂଳିକୁ ବ୍ୟବହାର କରାଯାଉଥିବାରୁ ଏହା ଅଧିକ ଗ୍ରହଣୀୟ। ଖୁବ୍ଶୀଘ୍ର ଏହି ପ୍ରକ୍ରିୟାରେ ସଲ୍ଫର ମିଶ୍ରଣ ବେଲୁନ କିମ୍ବା ଉଡ଼ାଜାହାଜ ସାହାଯ୍ୟରେ ବାୟୁମଣ୍ଡଳରେ ଛିଞ୍ଚି କାର୍ଯ୍ୟକ୍ଷମ କରାଯାଇପାରେ। ଏହି ଜ୍ଞାନକୌଶଳ ସମ୍ପର୍କିତ ବିଶେଷ ଗବେଷଣା ପାଇଁ ବିଲ୍ ଗେଟ୍ସ ଆଗେଇ ଆସି ସମର୍ଥନ କରିଥିଲେ। ତେବେ ପରିବେଶବିତ୍ଙ୍କ ଦ୍ୱାରା ବିରୋଧ ଓ ସମାଲୋଚନା ଯୋଗୁ ସେ ଏହି ଗବେଷଣାରୁ ଦୂରେଇ ଯାଇଥିଲେ । ପରିବେଶବିତ୍ଙ୍କ ଅନୁସାରେ ଏହି ପ୍ରକ୍ରିୟା ଦ୍ୱାରା ପାଣିପାଗ ବଦଳିଯିବ ଓ ବର୍ଷା ହେବାର ପ୍ରାକୃତିକ ଋ଼ତ ବଦଳିଯାଇ ବ୍ୟାପକ ଭାବରେ କୃଷି କ୍ଷେତ୍ରକୁ ପ୍ରଭାବିତ କରିବ। ମୌସୁମୀ ଉପରେ ନିର୍ଭରଶୀଳ ଅନେକ ଦେଶର କୃଷି ଏହାଦ୍ୱାରା ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ଭୁପୃଷ୍ଠରେ ଋତୁ ହିସାବରେ ବଂଶ ବିସ୍ତାର କରୁଥିବା ମଶା ମାଛି ଭଳି ରୋଗ ବାହକ କୀଟମାନଙ୍କ ବଂଶ ହୁଏତ ବୃଦ୍ଧିପାଇ ସମସ୍ୟା ସୃଷ୍ଟି କରିପାରେ।
ସନ୍ଡିମିଂ ପ୍ରକ୍ରିୟା ଓ କୃତ୍ରିମ ବର୍ଷା ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ଜିନିଷ। ସନ୍ଡିମିଂ ପ୍ରକ୍ରିୟାରେ ବର୍ଷା କରାଯାଇ ନ ଥାଏ କିନ୍ତୁ କୃତ୍ରିମ ବର୍ଷା ପ୍ରକ୍ରିୟାରେ ଏକ ଉଡାଜାହାଜ ସାହାଯ୍ୟରେ କିଛି ରାସାୟନିକ ପଦାର୍ଥକୁ ଉଡୁଥିବା ବାଦଲ ଉପରେ ଛିଞ୍ଚି ଦିଆଯାଏ। ସେହି ରାସାୟନିକ ପଦାର୍ଥ ଜଳୀୟ ବାଷ୍ପକୁ ଜମାଟ ବାନ୍ଧି ବର୍ଷା ହେବାରେ ସାହାଯ୍ୟ କରେ। ଏହି ପ୍ରକ୍ରିୟା ଦ୍ୱାରା ଉଭୟ ବର୍ଷା କରାଇ ହୁଏ ଓ ବର୍ଷାକୁ କିଛି ଦିନ ସ୍ଥଗିତ ମଧ୍ୟ ରଖିହୁଏ। ଏହାକୁ କ୍ଲାଉଡ ଶେଡିଂ ମଧ୍ୟ କୁହାଯାଏ। ଏଥିପାଇଁ ମୁଖ୍ୟତଃ ସିଲଭର କ୍ଲୋରାଇଡ ବ୍ୟବହାର କରାଯାଇ ଥାଏ। କ୍ଲାଉଡ ଶେଡିଂ ପାଇଁ ଭାରତୀୟ ପ୍ରାୟୋଗିକ ସଂସ୍ଥାନ କାନପୁର ତରଫରୁ ଏକ ପ୍ଲାନ ପ୍ରସ୍ତୁତ କରାଯାଇଛି। ଦିଲ୍ଲୀରେ ହେଉଥିବା ବାୟୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ କୃତ୍ରିମ ବର୍ଷା ନିମିତ୍ତ ଏହି ପ୍ରକ୍ରିୟାକୁ ପ୍ରୟୋଗ କରାଯିବାର ସମ୍ଭାବନା ଅଛି। ସେହିପରି କର୍ନାଟକ ସରକାରଙ୍କ ତରଫରୁ ମରୁଡିଗ୍ରସ୍ତ ଅଞ୍ଚଳରେ ବର୍ଷା କରେଇବା ପାଇଁ କ୍ଲାଉଡ ଶେଡିଂ ଉପାୟ ଅବଲମ୍ବନ କରାଯାଇଛି। ପୁଣେ ସ୍ଥିତ ଭାରତୀୟ ପାଣିପାଗ ସଂସ୍ଥାନ ଏହା ଉପରେ ଅନେକ ବର୍ଷ ହେବ ଗବେଷଣା କରି ଆସୁଛି। ନାଗପୁର ସୋଲାପୁର, ହାଇଦ୍ରାବାଦ, ଯୋଧପୁର ଓ ବାରାଣସୀ ପ୍ରଭୃତି ସହରରେ ବର୍ଷା କରା ଯାଇ ପାରିଛି। ତେଣୁ ନିକଟରେ ଦିଲ୍ଲୀ ଓ ତା ଆଖପାଖ ଅଞ୍ଚଳରେ ହୋଇଥିବା ଅସମୟ ବର୍ଷା କେବଳ ଏକ ସାଧରଣ ବାୟୁମଣ୍ଡଳୀୟ ପ୍ରକ୍ରିୟା ଓ ଏଥିରେ ବିଲ୍ ଗେଟ୍ସଙ୍କ ହାତ ନାହିଁ ।
ଡ. ନରେନ୍ଦ୍ର ସେଠୀ
ଯାଦୁଗୁଡ଼ା ଝାଡ଼ଖଣ୍ଡ
ମୋ:୭୦୦୪୦୬୮୧୧୦