ଦିଗପହଣ୍ଡି, ୧୦।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ସଫଳତା ମିଳିଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ଦିଗପହଣ୍ଡି କୃଷି ଜିଲ୍ଲା କାର୍ଯ୍ୟାଳୟ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ଯୁବକ ଜଣକ ହେଲେ ଗଜପତି ଜିଲା ମୋହନା ଥାନା ହଲପଙ୍କା ଗ୍ରାମର ବିନୟ ରଇତ (୨୧)।
ସୂଚନା ମୁତାବକ, ଅଭିଯୁକ୍ତ ଜଣକ ମୋହନାରୁ ଏକ କଳା ଓ ଲାଲ ରଙ୍ଗର ବାଇକ ଯୋଗେ ଗଞ୍ଜେଇ ଧରି ବ୍ରହ୍ମପୁର ଅଭିମୁଖେ ଯାଉଥିଲେ। ଏହି ବିଶେଷ ସୂତ୍ରରୁ ଖବର ପାଇ ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ଓ ଦିଗପହଣ୍ଡି ଅବକାରୀ ଟିମ କୃଷି କାର୍ଯ୍ୟାଳୟ ସମ୍ମୁଖରେ ଛକି ରହିଥିଲେ। ତାଙ୍କ ନିକଟରୁ ୫ କେଜି ୬୦୦ ଗ୍ରାମର ଗଞ୍ଜେଇ ସହ ବାଇକ ନଂ ଓଡ଼ି ୦୭ ଏକ୍ସ – ୬୨୪୬ (OD ୦୭ X ୬୨୪୬) ଏବଂ ଏକ ମୋବାଇଲ ଫୋନ ଜବତ କରାଯାଇଛି।
ବାଇକଟି ଦ୍ରୁତ ଗତିରେ ଯାଉଥିବା ବେଳେ ଅବକାରୀ କର୍ମଚାରୀମାନେ ତାକୁ ଅଟକାଇ ଖାନତଲାସି କରିଥିଲେ। ସେଥିରୁ ଗଞ୍ଜେଇ ମିଳିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏହି ଚଢ଼ାଉରେ ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା, ଓଆଇସି ଏନ୍. ତ୍ରିପତି, କନେଷ୍ଟବଳ ଆଲଫଲତା ସାହୁ, ବଳରାମ ପାତ୍ର, ରାଜେଶ ଜେନା, ସେକ ରାଜେଶ ଉଦ୍ଦିନ ଓ ପୃଥ୍ବୀରାଜ ସ୍ବାଇଁ ପ୍ରମୁଖ ସାମିଲ ଥିଲେ।
ଅଭିଯୁକ୍ତ ବିନୟଙ୍କ ନାମରେ ଅବକାରୀ ମାମଲା ନଂ. ୯୦/୨୫-୨୬ ରୁଜୁ କରାଯାଇ ବ୍ରହ୍ମପୁର ଜିଲା ଜଜ କୋର୍ଟକୁ ଚାଲାଣ କରାଯାଇଥିଲା। ସେଠାରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।