ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ପହଣ୍ଡା ଗାଲେରୀ ମୁଖ୍ୟ ରାସ୍ତାର ରଙ୍ଗାମେରୁ ଛକ ନିକଟରେ ସୋମବାର ପୂର୍ବାହ୍ନରେ ଏକ ବାଇକ ଓ ପେଟ୍ରୋଲ ଟ୍ୟାଙ୍କର ଗାଡି ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି। ଏଥିରେ ବାଇକ ଚାଳକ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ଘର ସୋରିଷ ମୁଳିରେ। କିନ୍ତୁ ନାମ ସଠିକ ଭାବେ ଜଣାପଡ଼ିନାହିଁ।
ଅପରପକ୍ଷେ ଦୁର୍ଘଟଣା ପରେ ଟ୍ୟାଙ୍କର ଚାଳକ ଦ୍ରୁତ ଗତିରେ ଫେରାର ହେଉଥିବା ବେଳେ ବଦାଙ୍ଗି ଠାରେ ଲୋକେ ଟ୍ୟାଙ୍କର ଟିକୁ ଅଟକାଇବାରେ ସକ୍ଷମ ହୋଇଛନ୍ତି। ଖବର ପାଇ ଗାଲେରୀ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ହସ୍ପିଟାଲ ପଠାଇବା ବ୍ୟବସ୍ଥା କରୁଛି।
ସୂଚନାଯୋଗ୍ୟ ଯେ, ଯୁବକ ଜଣକ ଆଜି ସକାଳ ୧୦ଟା ସମୟରେ ଗାଲେରୀ କୌଣସି କାମରେ ଯାଇଥିଲେ। କାମ ସରିବା ପରେ ନିଜ ବାଇକରେ ଗ୍ରାମ ଅଭିମୁଖେ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କର ସହ ମୁହାମୁହିଁ ଧକ୍କା ହୋଇଥିଲା। କଳିଙ୍ଗା ଘାଟି ରାସ୍ତା ଆଜକୁ ୨୯ ଦିନ ହେବ ବନ୍ଦ ଥିବା ଯୋଗୁ ବର୍ତ୍ତମାନ ବଦାଙ୍ଗୀ ଦେଇ ସମସ୍ତ ଯାନବାହାନ ଚଳାଚଳ କରୁଛି। ତେଣୁ ଉକ୍ତ ରାସ୍ତାରେ ବର୍ତ୍ତମାନ ଗାଡ଼ି ଗୁଡ଼ିକ ଦ୍ରୁତଗତିରେ ଯାତାୟାତ କରୁଛି। ଏହିଭଳି ପରିସ୍ଥିତିରେ ଆଜି ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଜୀବନ ଯାଇଛି।