ଦିଗପହଣ୍ଡି,୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ପେଟ୍ରୋଲ ପମ୍ପ ସମ୍ମୁଖ ୧୭ନଂ ରାଜ୍ୟ ରାଜପଥରେ ବୁଧବାର ଅପରାହ୍ନରେ ସ୍କୁଟି (ନଂ. ଓଡ଼ି୦୭ ବିଏ -୪୮୬୬) ଓ ବାଇକ (ନଂ. ଓଡ଼ି୩୨ ଜି-୩୯୯୭) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ଯୁବକ ମୃତ୍ୟୁବରଣ କରିଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ସାତପେଣ୍ଠ ଗୋପାଳପୁର ଗ୍ରାମର ଶିବ ଗୌଡ଼(୨୮)। ଆହତ ୨ ଜଣ ହେଲେ ଏସ.ଗୋପାଳପୁର ଗ୍ରାମର ଶ୍ୟାମ ଗୌଡ଼(୩୫) ଏବଂ କେ.ନୂଆଗାଁ ଥାନା ଗୋପୀନାଥପୁର ଗ୍ରାମର ଚନ୍ଦ୍ର ନାୟକ(୪୦)।
ଅପରାହ୍ନ ପ୍ରାୟ ୪ଟାରେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକେ ଶିବଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିବଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆହାତ ଚିକିତ୍ସାଧୀନ ଅଛନ୍ତି। ଦିଗପହଣ୍ଡି ପୋଲିସ ଟିମ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି। ପୋଲିସ ପକ୍ଷରୁ କୌଣସି ସବିଶେଷ ସୂଚନା ମିଳିପାରିନାହିଁ।