ଡୁଲୁରୀ ପୋଲ ନିକଟରେ ବାଇକ ଦୁର୍ଘଟଣା: ଗୁରୁତରଙ୍କ ପାଇଁ ସ୍ବାସ୍ଥ୍ୟକେନ୍ଦ୍ରରେ ଶଯ୍ୟା ମିଳୁନି,ତଳେ ରଖି…

ଦାରିଙ୍ଗବାଡି, ୨୯।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡୁଲୁରୀ ପୋଲ ନିକଟରେ ପୁଣି ଏକ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ବାଇକ ଆରୋହୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଗୁରୁତର ଅଛନ୍ତି।  ସେମାନେ ହେଲେ ବ୍ରାହ୍ମଣୀଗାଁ ଥାନା  କାଟିଙ୍ଗିଆ ପଞ୍ଚାୟତ ଅଞ୍ଚଳର ରାଜେଶ ସିଂ, ରାହୁଲ ସିଂ। ସେମାନଙ୍କ ଚିକିତ୍ସା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ କରାଯାଉଥିବା ବେଳେ ରୋଗୀ ଶଯ୍ୟା ବଦଳରେ ସେମାନଙ୍କୁ ତଳେ ରଖି ଚିକିତ୍ସା କରାଯାଉଥିବା ଦେଖାଯାଇଛି।

ପ୍ରକାଶ ଯୋଗ୍ୟ, ଗୋଟିଏ ବାଇକରେ ୨ ଜଣ ଯୁବକ ବ୍ରାହ୍ମଣୀଗାଁ ଅଭିମୁଖେ ଯାଉଥିଲେ। ଭାରସାମ୍ୟ ହରାଇ ଡୁଲୁରୀ ନାଳ ଭିତରକୁ ବାଇକଟି ପଶିଯାଇଥିଲା। ସୌଭାଗ୍ୟ ବଶତଃ ବାଇକ ଓ ୨ ଆରୋହୀ ନାଳରେ ଯାଉଥିବା ପାଣିରେ ପଡ଼ି ନ ଥିଲେ। ସେମାନେ ଶୁଖିଲା ସ୍ଥାନରେ ପଡ଼ି ଗୁରୁତର ଆହତ ହୋଇଥିଲେ। ଗୁରୁତର ୨ ଜଣଙ୍କୁ  ଉକ୍ତ ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ତେବେ ସେଠାରେ ସେମାନଙ୍କୁ ଦୟନୀୟ ଅବସ୍ଥାରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ଏହାକୁ ନେଇ ଅଞ୍ଚଳବାସୀ ସୱାସ୍ଥ୍ୟକେନ୍ଦ୍ର ର ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦୁର୍ଘଟଣା ଗ୍ରସ୍ଥ ୨ ଯୁବକଙ୍କ କାଟିଙ୍ଗିଆ ଅଞ୍ଚଳର ହୋଇଥିବା ଜଣାପଡିଥିବା  କାଟିଙ୍ଗିଆ ସରପଞ୍ଚ ସୁଭଦ୍ରା ପଡ୍ରା କହିଛନ୍ତି । ସ୍ବାସ୍ଥ୍ୟକେନ୍ଦ୍ରରେ ପୋଲିସ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ପ୍ରମୁଖ ପହଞ୍ଚିଥିବା ଜଣାପଡିଛି। ଘଟଣାର ଅଧିକ ତଦନ୍ତ କରାଯାଉଥିବା ଦତିଙ୍ଗବାଡି ଥାନା ଅଧିକାରୀ ତଥା ଡିଏସପି କନକ ମାଝୀ କହିଛନ୍ତି। ଗୁରୁତର ଆହତଙ୍କୁ ତଳେ ଶୁଆଇ ଚିକିତ୍ସା କରାଯାଉଥିବା ସମ୍ପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସମନ୍ତରାୟ କେଉଁ ପରିସ୍ଥିତିରେ ଏଭକି ଘଟଣା ଘଟିଛି ମୁଁ ବୁଝୁଛି ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Share