ବାଇକ୍‌ ଦୁର୍ଘଟଣା: ଚାଲିଗଲା ୨ ଜୀବନ

ବାଉଁଶୁଣୀ,୧୬।୧୦(ଦେବାଶିଷ ନେପାକ): ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଜିଲା ବାଉଁଶୁଣୀ ଛକ ନିକଟରେ ଗୁରୁବାର ଏକ ବାଇକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁୃ ହୋଇଛି। ମୃତକ ଦ୍ୱୟ ହେଲେ ଶୁଭମ ରାଜହଂସ ଓ ଶୀତଳ ରାଜହଂସ। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ମନଜିତ ରାଜହଂସ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବାଉଁଶୁଣୀ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଜିଲା ଚିକିତ୍ସାଳୟକୁ ପଠାଇଛି। ଏ ନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ଶାରଦା ପ୍ରସନ୍ନ ଦାସ କହିଛନ୍ତି।

ସୂଚନା ଅନୁଯାୟୀ, ମନମୁଣ୍ଡା ଥାନା ରକ୍ସା ଗ୍ରାମର ଶୁଭମ୍‌, ଶୀତଳ ଓ ମନଜିତ ଏକ ବାଇକ୍‌ ଯୋଗେ ଘରକୁ ଫେରୁଥିବା ବେଳେ ବାଉଁଶୁଣୀ ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଅଗ୍ନିଶମ ବାହିନୀ ଓ ପୋଲିସ ସହାୟତାରେ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶୁଭମ ଓ ଶୀତଳଙ୍କୁ ମୃତ ଘୋଷଣା କରିଥିଲେ।

Dharitri – Odisha’s No.1 Odia Daily