ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ହେଲେ ଗେଟବଜ଼ାର ବିଲ ସାହିର ମୂଳ ନିବାସୀ ତଥା ନୂଆପଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଡେଙ୍ଗାପଦର ପଦର ଗ୍ରାମରେ ରହୁଥିବା ବିଜୁ ବେହେରା(୨୯)। ଅଭିଯୁକ୍ତଙ୍କୁ ଜଜ ଉପଯୁକ୍ତ ସାଖ୍ୟ ଆଧାରରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୧ ବର୍ଷ ସଶ୍ରମ କାରାଦଣ୍ଡ ନେଇ ଜଜ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।
ଘଟଣାରୁ ପ୍ରକାଶ ଯେ, ବାଲିପଡା ଗ୍ରାମର ଜୁରିଆ ବିଷୋୟୀ (୫୫)ଙ୍କୁ ଗତ ୨୦୨୩ ମାର୍ଚ୍ଚ ୭ ତାରିଖରେ ଡେଙ୍ଗାପଦର ଗ୍ରାମରେ ହତ୍ୟା କରାଯାଇଥିଲା। ପୋଲିସ ୧୫୨/୨୩ ରେ ଏକ ମାମଲା ରୁଜୁ କରିଥିଲା। ତଦନ୍ତକାରୀ ଅଧିକାରୀ ମହେନ୍ଦ୍ର ସାହୁ ଅଭିଯୁକ୍ତ ବିଜୁ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ବିଚାରଣାବେଳେ ୧୫ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଗିରଫ ପରଠାରୁ ବ୍ରହ୍ମପୁର ମଣ୍ଡଳକାରାଗାରରେ ବିଚାରଧୀନ ବନ୍ଦୀ ଥିବା ବିଜୁ ବେହେରାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଦୁଇ ଜଣ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଆଧାରରେ ଜିଲା ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲା ପବ୍ଲିକ ପ୍ରସିକ୍ୟୁଟର ବିଶ୍ୱଜିତ ବରାଳ ଓ ସହଯୋଗୀ ରଜତ କୁମାର ଦାଶ ମକଦ୍ଦମା ପରିଚାଳନା କରୁଥିଲେ।

 

Dharitri – Odisha’s No.1 Odia Daily