ବିଜୁ ଏକ୍ସପ୍ରେସ୍‌ ୱେ ମରଣଯନ୍ତା: ପ୍ରତିଦିନ ଦୁର୍ଘଟଣା

ନୂଆପଡ଼ା,୧୦ା୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଲାଇଫ୍‌ଲାଇନ କୁହାଯାଉଥିବା ବିଜୁ ଏକ୍ସପ୍ରେସ୍‌ ଫୋର ୱେ ଏବେ ମରଣଯନ୍ତା ପାଲଟିଛି। ଏଥିଯୋଗୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ନିରୀହ ଲୋକ ପ୍ରାଣ ହରାଉଛନ୍ତି। ରାଉରକେଲାଠାରୁ ନୂଆପଡ଼ା ଦେଇ କୋରାପୁଟ ଚାନ୍ଦଲି ପର୍ଯ୍ୟନ୍ତ ଯାଇଥିବା ଏହି ରାସ୍ତା ନିର୍ମାଣ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ହେଲେ ଏହା ପରଠାରୁ ମରାମତି ଅଭାବରୁ ଅନେକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇ ଦୁର୍ଘଟଣା ଘଟୁଛି।

ନୂଆପଡ଼ା ଘାଟିପଡ଼ାଠାରୁ ବାଗମୁଣ୍ଡା ପର୍ଯ୍ୟନ୍ତ ୧୦ କିଲୋମିଟର ଡାହାଣ ପାଖ ରାସ୍ତାରେ ଗର୍ତ୍ତ ସୃଷ୍ଟିହେବା ସହ ପିଚୁ ଉଠିଯାଇଛି। ବାଗମୁଣ୍ଡାଠାରୁ ଦିଆମୁଣ୍ଡା ପର୍ଯ୍ୟନ୍ତ ୩ କି.ମି. ରାସ୍ତା ଶୋଚନୀୟ ହୋଇଥିବାବେଳେ ବାଗମୁଣ୍ଡା ଛକ ୟୁଟର୍ନଠାରେ ମାଟି ପକାଇ ରାସ୍ତା ବନ୍ଦ କରିଦିଆଯାଇଛି। ଫଳରେ ଲୋକେ ଜାଣି ନ ପାରି ମାଟି ଗଦା ଉପରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ସେଠାରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ରାସ୍ତା ଖରାପ ହେବାର ଦୀର୍ଘ ୬ ମାସ ବିତିଯାଇଥିଲେ ମଧ୍ୟ ମରାମତି କରାଯାଉ ନାହିଁ। ୬ ମାସ ଭିତରେ ବାଗମୁଣ୍ଡାଠାରେ ଶହେରୁ ଊର୍ଦ୍ଧ୍ୱ ଦୁର୍ଘଟଣା ଘଟିସାରିଲାଣି। ଦୁର୍ଘଟଣା ପରେ ରାସ୍ତାକଡ଼ରେ ରହୁଥିବା ବାଗମୁଣ୍ଡା ଗଁାର ଦେଓଲାଲ ବାଗ, ବ୍ରିଜଲାଲ ସତ୍‌ନାମୀ, ଭିବେ ସୁନାନୀ, ଲୋଚନ ବରିହା, ଶ୍ରୀଲେଚନ ସତ୍‌ନାମୀ, ଭକ୍ତି ସତ୍‌ନାମୀ ପ୍ରମୁଖ ଆହତ ଲୋକଙ୍କୁ ଆମ୍ବୁଲାନ୍ସ ଡାକି ହସ୍ପିଟାଲ ପଠାଉଛନ୍ତି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ରାସ୍ତାର ମରାମତି କରିବାକୁ ସାଧାରଣରେ ଦାବି ହେଉଛି।

 

Dharitri – Odisha’s No.1 Odia Daily

 

Share