ଗଡ଼ିଲା ଆଉ ଏକ ମୁଣ୍ଡ! ବିବାହର ୪୫ ଦିନ ମଧ୍ୟରେ ସ୍ୱାମୀଙ୍କ ହତ୍ୟା କଲା ସ୍ତ୍ରୀ, ମାମୁଁଙ୍କୁ ବିବାହ ପାଇଁ ରଚିଲା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୩।୭: ବିହାରର ଔରଙ୍ଗାବାଦ ଜିଲାରେ ଏକ ହୃଦୟବିଦାରକ ଘଟଣାରେ, ବିବାହର ମାତ୍ର ୪୫ ଦିନ ମଧ୍ୟରେ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ମେଘାଳୟରେ ଘଟିଥିବା ହନିମୁନ ହତ୍ୟାକାଣ୍ଡକୁ ମନେ ପକାଇ ଦେଇଛି, ଯାହା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି।

ପୁଲିସ ସୂଚନା ଅନୁଯାୟୀ, ନବବିବାହିତା ଗୁଞ୍ଜା ଦେବୀ ତାଙ୍କ ମାମୁଁ ଜୀବନ ସିଂହ (୫୫)ଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ପରିବାରର ଅସମ୍ମତି କାରଣରୁ ଗୁଞ୍ଜାଙ୍କୁ ନବୀନଗର ଥାନା ଅଞ୍ଚଳର ବାରୱାନ ଗାଁର ବାସିନ୍ଦା ପ୍ରିୟାଂଶୁଙ୍କ ସହ ଦୁଇ ମାସ ପୂର୍ବେ ଜବରଦସ୍ତି ବିବାହ କରାଯାଇଥିଲା।

ଔରଙ୍ଗାବାଦର ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ(ଏସପି) ଅମ୍ରିଶ ରାହୁଲ କହିଛନ୍ତି, “ଜୁନ ୨୫ ତାରିଖରେ ପ୍ରିୟାଂଶୁ ତାଙ୍କ ଭଉଣୀଙ୍କୁ ଭେଟି ଟ୍ରେନରେ ଘରକୁ ଫେରୁଥିବା ସମୟରେ ନବୀନଗର ଷ୍ଟେସନରେ ପହଞ୍ଚିଥିଲେ। ସେ ଗୁଞ୍ଜାଙ୍କୁ ତାଙ୍କୁ ନେବା ପାଇଁ ବାଇକରେ ଜଣେ ବ୍ୟକ୍ତିଙ୍କୁ ପଠାଇବାକୁ କହିଥିଲେ। କିନ୍ତୁ ଷ୍ଟେସନରୁ ଘରକୁ ଯାଉଥିବା ବେଳେ ଦୁଇ ଜଣ ବ୍ୟକ୍ତି ତାଙ୍କୁ ଗୁଳି କରି ହତ୍ୟା କଲେ।”

ତଦନ୍ତ ଆରମ୍ଭ ହେବା ପରେ ଗୁଞ୍ଜା ଗାଁ ଛାଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପ୍ରିୟାଂଶୁଙ୍କ ପରିବାର ସଦସ୍ୟମାନେ ସନ୍ଦେହ କରିଥିଲେ। ପୋଲିସ ଗୁଞ୍ଜାଙ୍କ କଲ ରେକର୍ଡ ଯାଞ୍ଚ କରି ଜାଣିବାକୁ ପାଇଲା ଯେ ସେ ତାଙ୍କ ମାମୁଁ ଜୀବନ ସିଂହଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ। ଜୀବନଙ୍କ କଲ ରେକର୍ଡରୁ ଜଣାପଡ଼ିଲା ଯେ ସେ ଶୁଟରମାନଙ୍କ ସହ ଯୋଗାଯୋଗରେ ଥିଲେ।

ଏସପି କହିଛନ୍ତି, “ଏହି ହତ୍ୟା ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଗଠନ କରାଯାଇଛି। ପ୍ରିୟାଂଶୁ ଓ ଗୁଞ୍ଜାଙ୍କ ବିବାହର ୪୫ ଦିନ ପରେ ଏହି ହତ୍ୟା ଘଟିଛି। ଗୁଞ୍ଜା ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି ଏବଂ ଜୀବନ ସିଂହଙ୍କୁ ଗିରଫ କରିବା ପାଇଁ ଚେଷ୍ଟା ଜାରି ରହିଛି।”

ଏହି ଘଟଣା ମେଘାଳୟରେ ମେ ମାସରେ ଘଟିଥିବା ହନିମୁନ ହତ୍ୟାକାଣ୍ଡ ସହ ସମାନ, ଯେଉଁଠାରେ ନବବିବାହିତା ସୋନମ ତାଙ୍କ ପ୍ରେମିକ ରାଜ କୁଶୱାଙ୍କ ସହଯୋଗରେ ତାଙ୍କ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହନିମୁନ ସମୟରେ ହତ୍ୟା କରିଥିଲେ। ସେହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

Share