ଅବୈଧ ଥିଲେ ବିହାର ଏସ୍‌ଆଇଆର୍‌କୁ ରଦ୍ଦ କରିଦେବୁ

ନୂଆଦିଲ୍ଲୀ,୧୬ା୯(ପି.ଟି.): ନିର୍ବାଚନ କମିଶନ (ଇସି) ସାମ୍ବିଧାନିକ କର୍ତ୍ତୃପକ୍ଷ ଭାବେ ଆଇନ ଅନୁଯାୟୀ ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚଳାଇଥିବା ନେଇ ଭରସା ରହିଥିବା ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ତେବେ କୌଣସିି ପର୍ଯ୍ୟାୟରେ ଆଇନର ଉଲ୍ଲଂଘନ ହୋଇଥିଲେ, ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ରଦ୍ଦ କରିଦିଆଯିବ ବୋଲି ସର୍ବୋଚ୍ଚ ଅଦାଲତ ଚେତାବନୀ ଦେଇଛନ୍ତି। ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ ଏବଂ ଜୟମାଲ୍ୟ ବାଗ୍‌ଚୀଙ୍କ ଖଣ୍ଡପୀଠ ବିହାର ଏସ୍‌ଆଇଆର୍‌ର ବୈଧତା ଉପରେ ଚୂଡ଼ାନ୍ତ ଶୁଣାଣି ପାଇଁ ଅକ୍ଟୋବର ୭କୁ ଧାର୍ଯ୍ୟ କରିଥିବାବେଳେ ଏହା ଉପରେ କୌଣସି ସଂକ୍ଷିପ୍ତ ମତାମତ ଦେବାକୁ ମନା କରି ଦେଇଛନ୍ତି। ବିହାର ଏସ୍‌ଆଇଆର୍‌ ଉପରେ ସର୍ବୋଚ୍ଚ ଅଦାଲତଙ୍କ ରାୟ ସାରା ଦେଶ ପାଇଁ ଲାଗୁ ହେବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଦେଇଛନ୍ତି।
ସାରା ଦେଶରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟରୁ ନିର୍ବାଚନ କମିଶନଙ୍କୁ ରୋକାଯାଇପାରିବ ନାହିଁ। ତେବେ ଅକ୍ଟୋବର ୭ ତାରିଖ ଚୂଡ଼ାନ୍ତ ଶୁଣାଣି ଦିନ ବିହାର ଏସ୍‌ଆଇଆର୍‌ ବିରୋଧରେ ପିଟିଶନ ଦାଖଲ କରିଥିବା ପକ୍ଷମାନେ ସାରା ଦେଶରେ ଏସ୍‌ଆଇଆର୍‌ ଉପରେ ଯୁକ୍ତି ଉପସ୍ଥାପନ କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି। ସେପ୍ଟେମ୍ବର ୩୦ରେ ପ୍ରକାଶ ପାଇବାକୁ ଥିବା ଚୂଡ଼ାନ୍ତ ଭୋଟର ତାଲିକା ମାମଲାର ନ୍ୟାୟିକ ନିର୍ଣ୍ଣୟ ଉପରେ କୌଣସି ପାର୍ଥକ୍ୟ ରଖିବ ନାହିଁ। କେବଳ ଯଦି କୌଣସି ପର୍ଯ୍ୟାୟରେ ବେଆଇନ କାର୍ଯ୍ୟ ହୋଇଥିବା ଅଦାଲତ ଅନୁଭବ କରନ୍ତି, ତେବେ ତାହାକୁ ଖାରଜ କରିଦେଇପାରିବେ ବୋଲି ଖଣ୍ଡପୀଠ ଆବେଦନକାରୀଙ୍କୁ କହିଛନ୍ତି।
ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ କରୁଥିବାରୁ ଏହା ପଛର ଉଦ୍ଦେଶ୍ୟକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ। ନିର୍ବାଚନ କମିଶନ ଭୋଟର ତାଲିକାରେ ଅନ୍ତର୍ଭୁକ୍ତି ପାଇଁ ୧୧ଟି ଦସ୍ତାବିଜ୍‌ ମାଗିଥିବାବେଳେ ସେଥିରେ ଆଧାର ନ ଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠିଥିଲା। ଚିଠା ଭୋଟର ତାଲିକାରୁ ପ୍ରାୟ ୬୫ ଲକ୍ଷ ଲୋକ ବାଦ୍‌ ପଡ଼ିବାରୁ ଅନେକ ଯୋଗ୍ୟ ଭୋଟର ମତାଧିକାରରୁ ବଞ୍ଚତ୍ତ ହେବେ ବୋଲି ବିରୋଧୀ ଆଶଙ୍କା ବ୍ୟକ୍ତ କରିଥିଲେ। ଏନେଇ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଏର ହୋଇଥିଲା। ସର୍ବୋଚ୍ଚ ଅଦାଲତ ଇସିଙ୍କୁ ଏସ୍‌ଆଇଆର୍‌ ପ୍ରକ୍ରିୟାରୁ ନିବୃତ୍ତ କରି ନ ଥିଲେ ମଧ୍ୟ ଆଧାରକୁ ବୈଧ ପ୍ରମାଣ ଭାବେ ଗ୍ରହଣ କରିବାକୁ କହିଥିଲେ। ଇସିଙ୍କ ପକ୍ଷରୁ ସୋମବାର ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀ ଉପସ୍ଥିତ ରହି ଏସ୍‌ଆଇଆର୍‌ର ଚୂଡ଼ାନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଶୁଣାଣି ଘୁଞ୍ଚାଇବାକୁ ନିବେଦନ କରିଥିଲେ। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ ପକ୍ଷରୁ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ୍‌ କହିଥିଲେ, ଇସି ଅନ୍ୟ ରାଜ୍ୟରେ ଏସ୍‌ଆଇଆର୍‌ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏକ ବେଆଇନ ପଦ୍ଧତି ଯୋଗୁ କେହି ମତଦାନ ଅଧିକାରରୁ ବଞ୍ଚତ୍ତ ହେବା ଉଚିତ ନୁହେଁ ବୋଲି ଆଇନଜୀବୀ ବ୍ରିନ୍ଦା ଗ୍ରୋଭର ଖଣ୍ଡପୀଠଙ୍କୁ କହିଥିଲେ।