ବିହାର ନିର୍ବାଚନ ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ

ପାଟନା,୫ା୧୧: ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୨୧ଟି ଆସନରେ ଭୋଟ ଗ୍ରହଣ ହେବାକୁ ଯାଉଛି। ପ୍ରଚାରର ଅନ୍ତିମ ଦିନରେ ଉଭୟ ଏନ୍‌ଡିଏ ଏବଂ ମହାମେଣ୍ଟର ପ୍ରମୁଖ ନେତାମାନେ ବିଭିନ୍ନ ସ୍ଥାନରେ ରାଲି ଓ ରୋଡ୍‌ ଶୋ’ କରି ନିଜ ଦଳର ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏନ୍‌ଡିଏ ବିପୁଳ ଭୋଟରେ ବିଜୟୀ ହୋଇ କ୍ଷମତା ବଜାୟ ରଖିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ୋକ୍ତି କରିଥିବାବେଳେ ବିରୋଧୀ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଆର୍‌ଜେଡି ନେତା ତେଜସ୍ବୀ ଯାଦବ କୃଷକମାନଙ୍କ ସ୍ଥିତିରେ ଉନ୍ନତି ଏବଂ ମହିଳାମାନଙ୍କୁ ଆର୍ଥତ୍କ ଦୃଷ୍ଟିରୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।
ଉଭୟ ଶାସକ ଓ ବିରୋଧୀ ଦଳର ନେତାମାନେ ଶେଷ ଦିନରେ ଭୋଟରଙ୍କୁ ପ୍ରଲୋଭିତ କରିବାରେ କୌଣସି ସୁଯୋଗ ହାତଛଡ଼ା କରି ନ ଥିଲେ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ୩ଟି ରାଲିରେ ଯୋଗଦେଇଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୫ଟି ସଭା କରିଥିଲେ। ସେହିପରି ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ଗୋଟିଏ ରାଲି ଓ ଗୋଟିଏ ରୋଡ୍‌ ଶୋ’ କରିଥିବାବେଳେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ୩ଟି ସଭାରେ ଭାଷଣ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ମହିଳା ଭାଜପା କର୍ମୀମାନଙ୍କ ସହ ଭର୍ଚୁଆଲି କଥା ହୋଇଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କେତେକ ସଭାରେ ଉଦ୍‌ବୋଧନ ଦେଇଥିଲେ। ଶେଷ ଦିନରେ ତେଜସ୍ବୀ କେତେଗୁଡ଼ିଏ ରାଲିରେ ଉଦ୍‌ବୋଧନ ଦେବା ସହ ଇଣ୍ଡିଆ ବ୍ଲକ୍‌ କ୍ଷମତାକୁ ଆସିଲେ ଧାନ କ୍ୱିଣ୍ଟାଲ ପ୍ରତି ଏମ୍‌ଏସ୍‌ପି (ସର୍ବନିମ୍ନ ସହାୟକ ମୂଲ୍ୟ) ଉପରେ ୩୦୦ ଟଙ୍କା ଏବଂ ଗହମ ଉପରେ ୪୦୦ ଟଙ୍କା ବୋନ୍‌ସ ଦେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଶେଷ ଦିନରେ ପ୍ରଚାରରେ ସାମିଲ ହୋଇଥିଲେ।
ପ୍ରଥମ ପର୍ଯ୍ୟାୟରେ ତେଜସ୍ବୀ ଯାଦବଙ୍କ ରାଘୋପବୁର, ତେଜପ୍ରତାପ ଯାଦବଙ୍କ ମହୁଆ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧରୀଙ୍କ ତାରାପୁର ଆସନରେ ମତଦାନ ହେବାକୁ ଯାଉଛି। ଅନ୍ୟ ପ୍ରମୁଖ ଆସନ ମଧ୍ୟରେ ରହିଛି ଭାଜପା ଟିକେଟରେ ଗାୟିକା ମୈଥିଲି ଠାକୁର ଲଢ଼ୁଥିବା ଆଲିନଗର, ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ ଲଖିସରାଇ, ଜେଡିୟୁ ପ୍ରାର୍ଥୀ ତଥା ବାହୁବଳୀ ନେତା ଅନନ୍ତ ସିଂଙ୍କ ମୋକାମା, ଗ୍ୟାଙ୍ଗ୍‌ଷ୍ଟରରୁ ନେତା ହୋଇଥିବା ମହମ୍ମଦ ଶାହାବୁଦ୍ଦିନଙ୍କ ପୁଅ ଓସାମା ଶାହବଙ୍କ ରଘୁନାଥପୁର। ଓସାମା ଆର୍‌ଜେଡିରୁ ଲଢ଼ୁଛନ୍ତି। ବିରୋଧୀ ପ୍ରାର୍ଥୀ ଦୁଲାରଚାନ୍ଦ ଯାଦବ ହତ୍ୟା ମାମଲାରେ ଅନନ୍ତ ସିଂ ଗିରଫ ହୋଇଛନ୍ତି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାର ଅବଶିଷ୍ଟ ୧୨୨ ଆସନରେ ଆସନ୍ତା ୧୧ ତାରିଖରେ ମତଦାନ ହୋଇ ୧୪ ତାରିଖରେ ଭୋଟଗଣତି କରାଯିବ।

 

Dharitri – The Largest & Most Trusted Odia Daily

\