ଆଜି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ, ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍‌

ପାଟନା,୬।୧୧: ବିହାର ବିଧାନସଭାର ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟ। ଭୋଟ ଦେଇ ନେତା ବାଛିବେ ଜନତା । ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନରେ ମତଦାନ ଗ୍ରହଣ ହେବ । କୁହାଯାଉଛି ପ୍ରଥମ ପର୍ଯ୍ୟାୟ ଭୋଟର ଫଳାଫଳ ବିହାର ଜନାଦେଶକୁ ନିର୍ଣ୍ଣାୟକ ମୋଡ ଦେବ । ତେଣୁ ପ୍ରଥମ ପର୍ଯ୍ୟାୟ ଭୋଟରେ ଏନଡିଏ ଓ ମହାମେଣ୍ଟ ପାଇଁ ଅଗ୍ନିପରୀକ୍ଷା ବୋଲି କୁହାଯାଉଛି । ବିହାର ଜନତା କାହା ହାତରେ ଶାସନ ଡୋରି ଦେବେ ତାହା ଉପରେ ସାରା ଦେଶର ନଜର ରହିଛି ।

ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ଯାଏଁ ଚାଲିବ। ପ୍ରଥମ ପର୍ଯ୍ୟାୟରେ ୧୮ ଜିଲ୍ଲାର ୧୨୧ଟି ଆସନରେ ପଡ଼ିବ ଭୋଟ । ୪୫ ହଜାରରୁ ଅଧିକ ମତଦାନ କେନ୍ଦ୍ରରେ ଭୋଟ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ କୋଟି ୭୫ ଲକ୍ଷ ଭୋଟର । ସେମାନଙ୍କ ମଧ୍ୟରେ ୧କୋଟି ୯୮ ଲକ୍ଷ ପୁରୁଷ ଓ ୧ କୋଟି ୭୬ ଲକ୍ଷ ମହିଳା ଭୋଟର ରହିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ସେଥିରେ ରହିଛନ୍ତି ୧୨୨ ଜଣ ମହିଳା ପ୍ରାର୍ଥୀ । ହେଭିୱେଟ ନେତାଙ୍କ ମଧ୍ୟରେ ରହିଛନ୍ତି, ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ୧୪ ଜଣ ମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

Share