ସୁପ୍ରିମକୋର୍ଟରେ ପହଞ୍ଚିଲା ବିହାର ଜାତି ଭିତ୍ତିକ ସର୍ଭେ ପ୍ରସଙ୍ଗ

ନୂଆଦିଲ୍ଲୀ,୩।୮: ବିହାରର ଜାତି ଭିତ୍ତିକ ସର୍ଭେ ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଛି। ପାଟନା ହାଇକୋର୍ଟଙ୍କ ଆଦେଶକୁ ରୋକ୍‌ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଦାବି କରାଯାଇଛି। ନାଳନ୍ଦା ନିବାସୀ ଅଖିଳେଶ କୁମାର ଗୁରୁବାର ଓକିଲ ବରୁଣ ସିହ୍ନାଙ୍କ ମାଧ୍ୟମରେ ଏକ ପିଟିଶନ ଦାଖଲ କରିଛନ୍ତି। ଜାତି ଭିତ୍ତିକ ସର୍ଭେକୁ ପାଟନା ହାଇକୋର୍ଟ ସମର୍ଥନ କରିଥିଲେ।

ମଙ୍ଗଳବାର (ଅଗଷ୍ଟ ୨) ପାଟନା ହାଇକୋର୍ଟ ବିହାର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ସମସ୍ତ ଆବେଦନକୁ ଖାରଜ କରି କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଆଇନଗତ ଏବଂ ଏହାକୁ ପରିଚାଳନା କରିବାର ରାଜ୍ୟ ସରକାରଙ୍କର ଅଧିକାର ରହିଛି। ପ୍ରଧାନ ବିଚାରପତି କେ ବିନୋଦ ଚନ୍ଦ୍ରନ ଏବଂ ଜଷ୍ଟିସ ପାର୍ଥ ସାରଥୀଙ୍କର ଏକ ଖଣ୍ଡପୀଠ ଜାତି ଗଣନାକୁ ଚ୍ୟାଲେଞ୍ଜ କରୁଥିବା ସମସ୍ତ ଆବେଦନକୁ ଖାରଜ କରିଦେଇଥିଲେ।