ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ ରଶିଦ ଖାନ ଦଳର ଦାୟିତ୍ୱ ନେଇଥିଲେ। ଟସ ସମୟରେ ରଶିଦ ପ୍ରକାଶ କରିଥିଲେ ଯେ ଗିଲ ମାଂସପେଶୀ ସ୍ପାସ୍ମରେ ପୀଡିତ ଥିଲେ, ଯାହା କାରଣରୁ ସେ ମ୍ୟାଚ ବାହାରେ ବସିଥିଲେ। କୁମାର କୁଶାଗ୍ର ତାଙ୍କ ସ୍ଥାନ ନେବା ପାଇଁ ଗୁଜରାଟ ପାଇଁ ଡେବ୍ୟୁ କରିଥିଲେ।
ଗିଲଙ୍କ ଅନୁପସ୍ଥିତି ଗୁଜରାଟ ପାଇଁ ଏକ ଶକ୍ତ ଧକ୍କା ପ୍ରମାଣିତ ହୋଇଥିଲା। ଦଳ ୨୧୧ ରନର ଟାର୍ଗେଟକୁ ପିଛା କରିବାରେ ବିଫଳ ହୋଇଥିଲା ଏବଂ ସିଜିନର ଦ୍ୱିତୀୟ ପରାଜୟ ବରଣ କରିଥିଲା। ଗୁଜରାଟ ଟାଇଟାନ୍ସର ପରବର୍ତ୍ତୀ ମ୍ୟାଚ ଏପ୍ରିଲ ୮ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଅନୁଷ୍ଠିତ ହେବ। ଗୁଜୁରାଟ ଟାଇଟାନ୍ସର ସହାୟକ ପ୍ରଶିକ୍ଷକ ପାର୍ଥିବ ପଟେଲ ଗିଲଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଏକ ଅପଡେଟ ପ୍ରଦାନ କରିଛନ୍ତି।
ପାର୍ଥିବ ପଟେଲ କହିଛନ୍ତି, ‘ନଭେମ୍ବର 2025ରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚ ସମୟରେ ଗିଲଙ୍କ ବେକରେ ଯନ୍ତ୍ରଣା ହୋଇଥିଲା ଏବଂ କିଛି ଦିନ ପୂର୍ବରୁ ସେ ପୁଣି ଥରେ କଷ୍ଟ ଅନୁଭବ କରିଥିଲେ। ଆମେ ଆଶା କରୁଛୁ ଯେ ସେ ପରବର୍ତ୍ତୀ ମ୍ୟାଚ ପାଇଁ ଫିଟ ହୋଇଯିବେ। ଆଘାତ ବହୁତ ଗୁରୁତର ମନେ ହେଉନାହିଁ। ମୁଁ ଆଘାତ ପରିଚାଳନାର ବିଶେଷଜ୍ଞ ନୁହେଁ, କିନ୍ତୁ ମୁଁ ଆପଣଙ୍କୁ ନିଶ୍ଚିତ କରିପାରେ ଯେ ସେ ସୁସ୍ଥ ହୋଇଯିବେ।’
ଆଇପିଏଲ 2026ରେ ଗୁଜରାଟ ଟାଇଟାନ୍ସର ପ୍ରଦର୍ଶନ ଏପର୍ଯ୍ୟନ୍ତ ଦୁର୍ବଳ ରହିଛି। ଦଳ ଦୁଇଟି ମ୍ୟାଚ ଖେଳିଛି ଏବଂ ଉଭୟରେ ପରାଜୟର ସମ୍ମୁଖୀନ ହୋଇଛି। ସେମାନଙ୍କର ପ୍ରଥମ ମ୍ୟାଚରେ, ଗୁଜରାଟ ପଞ୍ଜାବ କିଙ୍ଗ୍ସ ହାତରେ ୩ ୱିକେଟ ପରାସ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ, ଶନିବାର, ରାଜସ୍ଥାନ ରୟାଲ୍ସ ଏକ କଡ଼ା ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ମ୍ୟାଚରେ ଗୁଜରାଟକୁ 6 ରନରେ ପରାସ୍ତ କରିଥିଲା।
ଶେଷ ଓଭରରେ, ଗୁଜରାଟକୁ ଜିତିବା ପାଇଁ ୧୧ ରନ ଆବଶ୍ୟକ ଥିଲା। ତଥାପି, ତୁଷାର ଦେଶପାଣ୍ଡେ ଗୁଜରାଟକୁ କେବଳ ୪ ରନରେ ସୀମିତ ରଖିଥିଲେ। ବୁଧବାର, ଗୁଜରାଟ ପୁନରାଗମନ କରିବାକୁ ଚେଷ୍ଟା କରିବ। ଏହି ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବ।