ଧର୍ମେନ୍ଦ୍ରଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ପୁଅ କହିଲେ…

ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଗୁରୁତର ହୋଇପଡ଼ିଛନ୍ତି। ତାଙ୍କୁ ଅବଜରଭେସନରେ ରଖାଯାଇଛି। ଡାକ୍ତରୀ ଟିମ୍‌ ତାଙ୍କ ଉପରେ ନଜର ରଖିଥିବା ପୁଅ ସନ୍ନି ଦେଓଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଧର୍ମେନ୍ଦ୍ରଙ୍କ ଅବସ୍ଥା ସ୍ଥିର ଅଛି ଏବଂ ସେ ଅବଜରଭେସନରେ ଅଛନ୍ତି। ଉପଲବ୍ଧ ହେଲେ ଅଧିକ ମତାମତ ଏବଂ ଅପଡେଟ ଶେୟାର କରାଯିବ। ଦୟାକରି ତାଙ୍କ ସ୍ବାସ୍ଥ୍ୟ ବିଷୟରେ ମିଥ୍ୟା ଗୁଜବ ପ୍ରଚାର କରନ୍ତୁ ନାହିଁ। ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ ଏବଂ ପରିବାରର ଗୋପନୀୟତାର ଅଧିକାରକୁ ସମ୍ମାନ କରନ୍ତୁ।
ସୂଚନାଯୋଗ୍ୟ, ବଲିଉଡ୍‌ର ବର୍ଷୀୟାନ ଅଭିନେତା ଧର୍ମେନ୍ଦ୍ରଙ୍କୁ ନିକଟରେ ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲାବେଳେ ସୋମବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ନେଇ ଧର୍ମେନ୍ଦ୍ରଙ୍କ ପ୍ରଶଂସକ ମହଲରେ ଚିନ୍ତା ବଢ଼ିଯାଇଥିଲା। ତେବେ ଭେଣ୍ଟିଲେଟରରେ ରଖାଯିବା ଖବର ଏକ ଗୁଜବ ବୋଲି ତାଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରୀ ଟିମ୍‌ କହିଛି। ୮୯ ବର୍ଷୀୟ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଓ ସେ କ୍ରମେ ସୁସ୍ଥ ହେଉଥିବା ଟିମ୍‌ ସ୍ପଷ୍ଟ କରିଛି। ଅଭିନେତା ଅବ୍‌ଜରଭେଶନରେ ରହିଛନ୍ତି, ଚିନ୍ତା କରିବାର କୌଣସି କାରଣ ନାହିଁ। ବର୍ତ୍ତମାନ ସମୟରେ ପ୍ରିଭେସି ଜରୁରୀ ବୋଲି ଟିମ୍‌ କହିଛି। ଧର୍ମେନ୍ଦ୍ର ଗତ ମାସରେ ଅଣନିଃଶ୍ୱାସୀ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ହୃଦ୍‌ସ୍ପନ୍ଦନ, ରକ୍ତଚାପ ଆଦି ସ୍ଥିର ରହିଥିଲା। ସେ ଆଇସିୟୁରେ ରହିଥିବା ଗତ ୧ ତାରିଖରେ ହସ୍ପିଟାଲର ଜଣେ କର୍ମଚାରୀ କହିଥିଲେ। ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଗତ ୪ ତାରିଖରେ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ହେମାମାଳିନୀ ବିମାନବନ୍ଦରରେ ଗଣମାଧ୍ୟମକୁ କହିଥିଲେ।

 

Dharitri – Odisha’s No.1 Odia Daily

 

Share